ସୁରେଶ ପୂଜାରୀଙ୍କ ପ୍ରାର୍ଥୀତ୍ୱକୁ କର୍ମୀଙ୍କ ବିରୋଧ

ବ୍ରଜରାଜନଗର,୧୨ା୪(ବିଜୟ ବରାଡ଼): ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ଲଖନପୁର ବ୍ଲକ ଓ ୧୯ଖଣ୍ଡ ମୌଜାର ଭାଜପା ସମର୍ଥକମାନେ ଭାଜପା ପ୍ରାର୍ଥୀ ସୁରେଶ ପୂଜାରୀଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରିଛନ୍ତି।

ଏହାକୁ ନେଇ ଶୁକ୍ରବାର ଲଖନପୁର ବ୍ଲକର କଣ୍ଢେଇକେଲା, ରେମତା, ଚାରପାଲି, ବାଡି଼ମାଲ, ଭିକାମପାଲି, ମାଛିଦା, ଅତାବିରା, ପଞ୍ଚାଗାଁ, କାତରଭାଗା, ଜାମଗାଁ ଆଦି ପଞ୍ଚାୟତର ଶତାଧିକ ମହିଳାପୁରୁଷ ଏକାଠି ହୋଇଥିଲେ। ପରେ ସେମାନେ ବ୍ରଜରାଜନଗରସ୍ଥିତ ଭାଜପା ଯୁବମୋର୍ଚ୍ଚାର ରାଜ୍ୟ ସାଧାରଣ ସମ୍ପାଦକ ସୁଜିତ ସିଂଙ୍କ କାର୍ଯ୍ୟାଳୟକୁ ଯାଇ ସୁଜିତ ସ୍ବାଧୀନ ଭାବରେ ଲଢନ୍ତୁ ବୋଲି ଅଡିବସିଥିଲେ।

ସେମାନେ ଅଭିଯୋଗ କରିଥିଲେ, ରାଜ୍ୟ ସଭାପତିଙ୍କ ପ୍ରାର୍ଥୀ ଚୟନକୁ ଆମେ ବିରୋଧ କରୁଛୁ। ଭାଜପା ପକ୍ଷରୁ ସୁରେଶ ନିର୍ବାଚନ ଲଢିଲେ ଲଖନପୁର ବ୍ଲକ ତଥା ୧୯ଖଣ୍ଡ ମୌଜାରୁ କେହି ତାଙ୍କୁ ସମର୍ଥନ କରିବେ ନାହିଁ। ଦୀର୍ଘ ୪ବର୍ଷ ହେବ ସୁଜିତ ତାଙ୍କ ପାଖରେ ଛିଡା ହୋଇଛନ୍ତି। ତେଣୁ ରାଜ୍ୟ ନେତୃତ୍ୱ ପ୍ରାର୍ଥୀ ବଦଳାଇ ଦିଅନ୍ତୁ ବୋଲି ଦାବି କରିଥିଲେ।

ଏ ସମ୍ପର୍କରେ ସୁଜିତ କହନ୍ତି, ସେ ନିର୍ଦ୍ଦଳୀୟ ଲଢ଼ି ଦଳ ବିରୋଧୀ କାର୍ଯ୍ୟ କରିବେ ନାହିଁ। ଦଳର ଶୀର୍ଷ ନେତୃତ୍ୱ ଯାହା ନିଷ୍ପତ୍ତି ନେବେ ତାକୁ ସେ ମାନିବେ ବୋଲି କିିଛନ୍ତି। ସୁରେଶ ପୂଜାରୀଙ୍କୁ ପଚାରିବାରେ କର୍ମୀମାନଙ୍କୁ ବୁଝାଶୁଝା କରି ଆଗକୁ ବଢ଼ିବେ ବୋଲି ପ୍ରକାଶ କରିଛନ୍ତି।