କୂଅରେ ପୋତି ହୋଇଗଲେ ଶ୍ରମିକ

କାମାକ୍ଷାନଗର, ୭।୪(ଡି.ଏନ.ଏ.): ଖୋଳାଯାଉଥିଲା କୂଅ। ମାଟି ବାହାର କରିବାକୁ ଭିତରକୁ ପଶିଥିବାବେଳେ ହଠାତ୍‌ ଖସିପଡ଼ିଲା ଅତଡ଼ା। ଏଥିରେ ପୋତି ହୋଇ ରହିଗଲେ ଶ୍ରମିକ। ଜେସିବି ସହାୟତାରେ ମାଟି ଖୋଳି ଦୀର୍ଘ ୩ଘଣ୍ଟା ପରେ ତାଙ୍କୁ ଉଦ୍ଧାର କରାଗଲା। ହେଲେ ସେତେବେଳକୁ ଶ୍ରମିକ ଜଣକ ଆଉ ଜୀବିତ ଅବସ୍ଥାରେ ନ ଥିଲେ। ଢେଙ୍କାନାଳ ଜିଲା କାମାକ୍ଷାନଗର ଏନ୍‌ଏସିରେ ମଙ୍ଗଳବାର ଘଟିଥିବା ଏଭଳି ଏକ ହୃଦୟ ବିଦାରକ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା, କାମାକ୍ଷାନଗର ଏନ୍‌ଏସି ବସ୍‌ଷ୍ଟାଣ୍ଡ ପଛପାଖରେ ମଙ୍ଗଳବାର ସକାଳେ ଏକ ଘରୋଇ କୂଅ ଖୋଳା କାର୍ଯ୍ୟ ଚାଲିଥିଲା। ଏହି କାର୍ଯ୍ୟରେ କାମାକ୍ଷାନଗର କଲେଜ ନିକଟ ଦିଗୋଡିଆ ସାହିର ଧୂଳିଆ ମଲ୍ଲିକଙ୍କ ସମେତ ୫ ଜଣ ଶ୍ରମିକ ନିୟୋଜିତ ହୋଇଥିଲେ। ସୁରେଶ ସୁବୁଦ୍ଧିଙ୍କ ନେତୃତ୍ୱରେ କାମ ଆଗେଇ ଚାଲିଥିଲା। ଦେବରାଜ ମଲ୍ଲିକ, ଅଜୟ ମଲ୍ଲିକ, ରୋହିତ ମଲ୍ଲିକ କୂଅ ଉପରେ ଥିବାବେଳେ ଧୂଳିଆ କୂଅ ଭିତରକୁ ଯାଇ ମାଟି ଉଠାଉଥିଲେ। ଏହି ସମୟରେ ହଠାତ୍‌ ଏକ ବଡ଼ ଅତଡ଼ା ଖସିଥିଲା ଏବଂ ଧୂଳିଆ କୂଅରେ ପୋତିହୋଇ ରହିଯାଇଥିଲେ। ସୂଚନା ପାଇ କାମାକ୍ଷାନଗର ଅଗ୍ନିଶମ ବିଭାଗ ଅଧିକାରୀ ସରୋଜ କୁମାର ମହାପାତ୍ର ସଦଳବଳ ପହଞ୍ଚତ୍ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ୩ ବଡ଼ ମେଶିନ ଦୀର୍ଘ ୩ ଘଣ୍ଟା ଧରି ମାଟି ଖୋଳିବା ପରେ ଧୂଳିଆଙ୍କ ମୃତଦେହ ବାହାରକୁ ଆସିଥିଲା। କାମାକ୍ଷାନଗର ଉପଜିଲାପାଳ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ, ତହସିଲଦାର ସଞ୍ଜୟ ରାଉତ, ଥାନାଧିକାରୀ ଅଭିନବ ଡାଳୁଆ ପ୍ରମୁଖ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ। ରେଡ୍‌କ୍ରସ୍‌ ପାଣ୍ଠିରୁ ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ଏବଂ ହରିଶ୍ଚନ୍ଦ୍ର ଯୋଜନାରେ ୩୦୦୦ ଟଙ୍କା ପ୍ରଦାନ କରାଯାଇଛି। ଏ ସଂକ୍ରାନ୍ତରେ ପୋଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା (ନଂ.୧୩/୨୧) ରୁଜୁ କରାଯାଇଛି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି। ସୂଚନାଯୋଗ୍ୟ, ମୃତ ଧୂଳିଆଙ୍କ ସ୍ତ୍ରୀଙ୍କ ମୃତ୍ୟୁ ହୋଇଯାଇଥିଲା। ଏକମାତ୍ର ଝିଅଙ୍କ ବିବାହ ହୋଇସାରିଛି। ଧୂଳିଆ ଝିଅଙ୍କ ପାଖରେ ରହୁଥିଲେ।