କେସିଙ୍ଗା, ୮।୧୧ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ରେଳ ମାଲଗୋଦାମ ନିକଟରେ ଗତକାଲି ରାତିରେ ଲୁଟ୍ ଉଦ୍ଦେଶ୍ୟରେ ଦୁର୍ବୃତ୍ତମାନେ ରୋଶନ ସେଠୀ (୨୩) ନାମକ ଜଣେ ଶ୍ରମିକଙ୍କୁ ଛୁରାମାଡ଼ କରି ଫେରାର ହୋଇଯାଇଛନ୍ତି। ଏନେଇ ଜଣାପଡ଼ିଛି ଯେ, କଳାହାଣ୍ଡି ଜିଲା ଗୋଲାମୁଣ୍ଡା ଅଞ୍ଚଳର ରୋଶନ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ। ସେଠାରୁ ଘରକୁ ଫେରୁଥିବା ସମୟରେ କେସିଙ୍ଗା ରେଳଷ୍ଟେଶନ ନିକଟରେ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରିଥିଲେ।
ଖବର ପାଇ ସ୍ଥାନୀୟ ପୋଲିସ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲା। ରୋଶନଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯାଇଛି।
ଜିଲାର ଏକ ପ୍ରମୁଖ ରେଳଷ୍ଟେସନ ହୋଇଥିବା ସତ୍ତ୍ୱେ ଏଠାରେ ମାତ୍ର ଦୁଇଜଣ ଆର୍ପିଏଫ୍ କର୍ମଚାରୀ ସୁରକ୍ଷା ଦାୟିତ୍ୱରେ ରହିବା ପର୍ଯ୍ୟାପ୍ତ ନୁହେଁ ବୋଲି ସାଧାରଣରେ ଦାବି ହେଉଛି। ଅମୃତ ଭାରତ ଷ୍ଟେଶନ ଯୋଜନାରେ ଷ୍ଟେଶନର ରୂପରେଖ ଓ ଆକାର ବୃଦ୍ଧି ପାଇଥିବା ବେଳେ ସେହି ଅନୁପାତରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ ସୁଦୃଢ଼ କରାଯିବା ଆବଶ୍ୟକ ବୋଲି ଜନସାଧାରଣ ମତ ପ୍ରକାଶ କରିଛନ୍ତି।
ଷ୍ଟେଶନରେ ନିୟୋଜିତ ଦୁଇଜଣ ଆର୍ପିଏଫ୍ କର୍ମଚାରୀ ଯଥେଷ୍ଟ ନୁହନ୍ତି। ଫଳରେ ଅପରାଧୀମାନେ ସକ୍ରିୟ ହେବା ସହ ଅପରାଧ ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି। ଷ୍ଟେସନର ୧ ନମ୍ବର ଓ ୪ ନମ୍ବର ପ୍ଲାଟଫର୍ମରେ ମଧ୍ୟ ଯାତ୍ରୀମାନେ ସୁରକ୍ଷିତ ନ ଥିବା ଅଭିଯୋଗ ହେଉଛି।
ଷ୍ଟେଶନରୁ ଦୁର୍ଗାମଣ୍ଡପ ଦେଇ ହୋଟେଲ ରିଜେନ୍ସି ଛକ ଏବଂ ଷ୍ଟେସନରୁ ବ୍ୟାଙ୍କ ଛକ ପର୍ଯ୍ୟନ୍ତ ରାସ୍ତା ମଧ୍ୟ ରାତିରେ ଅସୁରକ୍ଷିତ ହୋଇପଡ଼ିଛି। ଏହି ରାସ୍ତାଗୁଡ଼ିକରେ ବାରମ୍ବାର ଲୁଟ୍ପାଟ୍ ହେଉଥିବା ଜଣାପଡ଼ିଛି। ଏହାପୂର୍ବରୁ ପୋଲିସ କେତେକ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରିଛି। କିନ୍ତୁ କିଛିଦିନର ବ୍ୟବଧାନ ପରେ ପୁଣିଥରେ ଏଭଳି ଅପରାଧ ବୃଦ୍ଧି ପାଇଛି।
ଗତକାଲିର ଘଟଣାରେ ପୋଲିସ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ସମ୍ପର୍କରେ କୌଣସି ସୁରାକ୍ ପାଇନାହିଁ। କେସିଙ୍ଗାରେ ବିଭିନ୍ନ ଗ୍ୟାଙ୍ଗ୍ ସକ୍ରିୟ ଥିବାରୁ ଅପରାଧ ବୃଦ୍ଧି ପାଉଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ତେଣୁ ଷ୍ଟେଶନ ଓ ଏହାର ଆଖପାଖ ଅଞ୍ଚଳରେ ପୋଲିସ ପାଟ୍ରୋଲିଂ ବୃଦ୍ଧି କରିବା ସହ ଆର୍ପିଏଫ୍ କର୍ମଚାରୀଙ୍କ ସଂଖ୍ୟା ବଢ଼ାଇବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି।