ନୂଆଦିଲ୍ଲୀ,୨୪।୫: ଭାରତୀୟ ସମାଜରେ ମହିଳାମାନଙ୍କ ଆର୍ଥିକ ସୁରକ୍ଷା ଏବଂ ସମ୍ପତ୍ତି ଅଧିକାରକୁ ନେଇ ଅନେକ ସମୟରେ ବିଭିନ୍ନ ପ୍ରଶ୍ନ ଉଠିଥାଏ। ସାଧାରଣତଃ ବିବାହ ପରେ ଜଣେ ମହିଳାଙ୍କ ସମ୍ପତ୍ତି ଉପରେ ତାଙ୍କ ସ୍ୱାମୀ ଏବଂ ସନ୍ତାନମାନଙ୍କର ପ୍ରଥମ ଅଧିକାର ଥାଏ। ମାତ୍ର ଯଦି ଜଣେ ମହିଳାଙ୍କର ସ୍ୱାମୀ କିମ୍ୱା କୌଣସି ସନ୍ତାନ ନଥାନ୍ତି ଏବଂ ସେ ବିନା କୌଣସି ଉଇଲ (Will) ବା ସମ୍ପତ୍ତିରେ ମୃତ୍ୟୁବରଣ କରନ୍ତି, ତେବେ ତାଙ୍କ ସମ୍ପତ୍ତିର ମାଲିକ କିଏ ହେବ? ଏହାକୁ ନେଇ ଭାରତୀୟ ଉତ୍ତରାଧିକାରୀ ଆଇନରେ ସ୍ପଷ୍ଟ ନିୟମ ରହିଛି।
ହିନ୍ଦୁ ଉତ୍ତରାଧିକାର ଆଇନ (Hindu Succession Act, 1956) ଅନୁଯାୟୀ, ଏଭଳି ସ୍ଥିତିରେ ସମ୍ପତ୍ତିର ବଣ୍ଟନ ମହିଳାଜଣକ ସମ୍ପତ୍ତି କେଉଁ ସୂତ୍ରରୁ ପାଇଥିଲେ, ତାହା ଉପରେ ସମ୍ପୂର୍ଣ୍ଣ ନିର୍ଭର କରେ। ଆସନ୍ତୁ ଜାଣିବା ଏହାର ସମସ୍ତ ଆଇନଗତ ଦିଗ ସମ୍ପର୍କରେ:
ବାପଘରୁ ମିଳିଥିବା ସମ୍ପତ୍ତି (ପୈତୃକ ସମ୍ପତ୍ତି):
ଯଦି ଜଣେ ମହିଳା ନିଜ ପିତା କିମ୍ୱା ମାତାଙ୍କ ସୂତ୍ରରୁ କୌଣସି ସମ୍ପତ୍ତି ଉତ୍ତରାଧିକାର ସୂତ୍ରରେ ପାଇଛନ୍ତି, ଏବଂ ତାଙ୍କର ସ୍ୱାମୀ କିମ୍ୱା ସନ୍ତାନ ନାହାନ୍ତି, ତେବେ ସେହି ସମ୍ପତ୍ତି ତାଙ୍କ ଶାଶୁଘର ଲୋକଙ୍କୁ ମିଳିବ ନାହିଁ। ଆଇନ ଅନୁଯାୟୀ, ଏହି ସମ୍ପତ୍ତି ପୁଣି ତାଙ୍କ ପିତାଙ୍କ ଉତ୍ତରାଧିକାରୀ ବା ଭାଇ-ଭଉଣୀମାନଙ୍କ ପାଖକୁ ଫେରିଯିବ।
ଶାଶୁଘରୁ କିମ୍ୱା ସୱାମୀଙ୍କଠାରୁ ମିଳିଥିବା ସମ୍ପତ୍ତି:
ଯଦି ସମ୍ପୃକ୍ତ ମହିଳାଜଣକ ନିଜ ସୱାମୀ କିମ୍ୱା ଶ୍ୱଶୁରଙ୍କଠାରୁ କୌଣସି ସମ୍ପତ୍ତି ଉତ୍ତରାଧିକାର ସୂତ୍ରରେ ପାଇଥାନ୍ତି, ଏବଂ ତାଙ୍କର କୌଣସି ସନ୍ତାନ ନ ଥାନ୍ତି, ତେବେ ସେହି ସମ୍ପତ୍ତି ତାଙ୍କ ବାପଘର ଲୋକ ପାଇପାରିବେ ନାହିଁ। ମହିଳାଙ୍କ ମୃତ୍ୟୁ ପରେ ଏହି ସମ୍ପତ୍ତି ତାଙ୍କ ସୱାମୀଙ୍କର ଆଇନଗତ ଉତ୍ତରାଧିକାରୀ (ଯେପରିକି ସୱାମୀଙ୍କ ଭାଇ କିମ୍ୱା ସେମାନଙ୍କ ପରିବାର)ଙ୍କ ନିକଟକୁ ହସ୍ତାନ୍ତର ହେବ।
ନିଜ ଅର୍ଜିତ ସମ୍ପତ୍ତି :
ମହିଳାଜଣକ ଯଦି ନିଜ ଚାକିରି, ବ୍ୟବସାୟ କିମ୍ୱା ନିଜସ୍ୱ ପାଣ୍ଠିରୁ କୌଣସି ସମ୍ପତ୍ତି କିଣିଛନ୍ତି, ତେବେ ସେଥିରେ ନିୟମ କିଛିଟା ଭିନ୍ନ। ଯଦି ସ୍ୱାମୀ ଓ ସନ୍ତାନ ନଥାନ୍ତି, ତେବେ ପ୍ରଥମେ ସ୍ୱାମୀଙ୍କ ଉତ୍ତରାଧିକାରୀଙ୍କୁ ଏହି ସମ୍ପତ୍ତି ମିଳିବାର ପ୍ରାବଧାନ ରହିଛି। ଯଦି ସୱାମୀଙ୍କ ପକ୍ଷରୁ କେହି ନଥାନ୍ତି, ତେବେ ଯାଇ ମହିଳାଙ୍କ ପିତାମାତା କିମ୍ୱା ତାଙ୍କ ଉତ୍ତରାଧିକାରୀମାନେ ଏହି ସମ୍ପତ୍ତି ଉପରେ ଦାବି କରିପାରିବେ।
କାହିଁକି ଜରୁରୀ ସମ୍ପତ୍ତି ବା ‘ଉଇଲ’?
ଆଇନ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଭବିଷ୍ୟତରେ ହେବାକୁ ଥିବା ପାରିବାରିକ ବିବାଦ ଏବଂ ଆଇନଗତ ଜଟିଳତାରୁ ରକ୍ଷା ପାଇବା ପାଇଁ ପ୍ରତ୍ୟେକ ମହିଳାଙ୍କୁ ନିଜ ଜୀବିତ ଅବସ୍ଥାରେ ଏକ ସ୍ପଷ୍ଟ ‘ଉଇଲ’ ବା ସମ୍ପତ୍ତି ପ୍ରସ୍ତୁତ କରିବା ଉଚିତ। ଓସିୟତ ନାମା ଥିଲେ ମହିଳାଜଣକ ନିଜ ଇଚ୍ଛା ଅନୁସାରେ ଯେକୌଣସି ବ୍ୟକ୍ତି, ସମ୍ପର୍କୀୟ କିମ୍ୱା ସାମାଜିକ ସଂଗଠନକୁ ନିଜ ସମ୍ପତ୍ତି ଦାନ ବା ହସ୍ତାନ୍ତର କରିପାରିବେ, ଯେଉଁଥିରେ ପରବର୍ତ୍ତୀ ସମୟରେ କୌଣସି ଆଇନଗତ ବାଧା ଉପୁଜିବ ନାହିଁ।

