‘ମହିଳାଙ୍କ ଆଦର୍ଶ ନନ୍ଦିନୀ’

ଭୁବନେଶ୍ୱର,୫।୮(ବ୍ୟୁରୋ): ଓଡ଼ିଶାର ପ୍ରଥମ ତଥା ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ୧୫ତମ ଶ୍ରାଦ୍ଧ ଦିବସ ବୁଧବାର ପାଳିତ ହୋଇଯାଇଛି। ଏହି ଅବସରରେ ଉତ୍କଳ ସମ୍ମିଳନୀ ପକ୍ଷରୁ ବରପୁତ୍ରୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଉତ୍କଳ ସମ୍ମିଳନୀ ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଶାଖା ସଭାପତି ଅଧିବକ୍ତା ଦିଲୀପ ଦାଶଶର୍ମା ସଭାପତିତ୍ୱ କରି ନନ୍ଦିନୀ ଦେବୀ ଏକାଧାରରେ ଜଣେ ନାରୀ ନେତ୍ରୀ, ଲେଖିକା ଓ ସାମ୍ବାଦିକା ବୋଲି କହିବା ସହ ତାଙ୍କ ପ୍ରତିମୂର୍ତ୍ତି ଥିବା ଛକର ନାମ ‘ନନ୍ଦିନୀ ଦେବୀ ଛକ’ ଭାବେ ନାମିତ କରାଯିବାକୁ ଅନୁରୋଧ କରିଥିଲେ। ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗଦେଇ ନନ୍ଦିନୀ ଶତପଥୀଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ଡ. ଦ୍ୱାରିକା ନାଥ ମହାନ୍ତି, ଉପସଭାପତି ଶୀତଳ ଚନ୍ଦ୍ର ମହାନ୍ତି, ଯୁଗ୍ମସମ୍ପାଦକ ସିଦ୍ଧାର୍ଥ ଶଙ୍କର ଗଡ଼ନାୟକ ପ୍ରମୁଖ ଉପସ୍ଥିତ ରହି ବରପୁତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ସେହିପରି ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ସେଠାରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା। ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ଯୋଗଦେଇ ମହିଳାଙ୍କ ସର୍ବକାଳୀନ ଆଦର୍ଶ ଭାବେ ନନ୍ଦିନୀ ଶତପଥୀ ପ୍ରେରଣାର ସ୍ରୋତ ପାଲଟିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଧାୟକ ଅନନ୍ତ ନାରାୟଣ ଜେନା, ସଂସ୍କୃତି ଅନୁସଚିବ ଲକ୍ଷ୍ମୀଧର ବେହେରା ଉପସ୍ଥିତ ରହି ମାଲ୍ୟାର୍ପଣ କରିବା ସହ ନନ୍ଦିନୀଙ୍କ ବହୁମୁଖୀ ବ୍ୟକ୍ତିତ୍ୱର ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ଅଭିଯାନ ପକ୍ଷରୁ ପାଲା ସଂସ୍କୃତିର ସାଧକ ତଥା ଗାୟକ ଆହ୍ଲାଦ ସୁରେନ୍ଦ୍ର ଛୋଟରାୟଙ୍କୁ ନନ୍ଦିନୀ ଶତପଥୀ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା। ସଙ୍ଗଠନର ସଂଯୋଜକ ନାରାୟଣ ଓଝା, ବରିଷ୍ଠ ସଦସ୍ୟ ଅଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂହ, ଅସିତ୍‌ ଦାସ, ସିତାଂଶୁ ଶେଖର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।
ବିଜେଡି ସାଂସ୍କୃତିକ ସମନ୍ବ୍ବୟ ସାମ୍ମୁଖ୍ୟ ପକ୍ଷରୁ ଉକ୍ତ ସ୍ଥାନରେ ନନ୍ଦିନୀ ଶତପଥୀଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଇଛି। ସାମ୍ମୁଖ୍ୟର ଆବାହକ ରବିନାରାୟଣ ନନ୍ଦ, ରାଜ୍ୟ ସଂଯୋଜକ ପ୍ରବୀର ମହାନ୍ତି, ରାଜ୍ୟ କମିଟି ସଦସ୍ୟ ଡ. ଜୀବନ ଦୀକ୍ଷିତ, ଦେବରାଜ ସେନାପତି, ଜିଲା କର୍ମକର୍ତ୍ତା ସତ୍ୟବ୍ରତ ଜେନା, ମନୋରଞ୍ଜନ ନାୟକ, ବୈକୁଣ୍ଠ ଭୋଇ, ଦେବଯାନୀ ଦାସ ଏବଂ ବାବା ପଞ୍ଚଦେବ ପ୍ରମୁଖ ନନ୍ଦିନୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଓଡ଼ିଶାର ଜଣେ ଅଗ୍ରଣୀ ନାରୀନେତ୍ରୀ ଭାବେ ସେ ମୁଖ୍ୟମନ୍ତ୍ରୀ ପଦ ମଣ୍ଡନ କରି ରାଜ୍ୟର ବହୁବିଧ ଉନ୍ନତି କରିପାରିଥିବାରୁ ତଥା ତାଙ୍କର କଳା, ସାହିତ୍ୟ ଓ ସଂସ୍କୃତି ପ୍ରତି ସ୍ବତନ୍ତ୍ର ଅବଦାନ ନିମନ୍ତେ ସେ ଉତ୍କଳୀୟ ଜନମାନସରେ ଚିରସ୍ମରଣୀୟ ହୋଇ ରହିଛନ୍ତି ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ।