Categories: Home Leftଖେଳ

ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ପ୍ରଥମ ମ୍ୟାଚ୍‌ରେ ମାଲେସିଆକୁ ଭେଟିବ ଭାରତ

ଭୋପାଳ,୧୮।୧୧: ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ନାମେଣ୍ଟ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ଚଳିତ ସିଜନରେ ଚମତ୍କାର ଫର୍ମରେ ଥିବା ଭାରତୀୟ ଦଳ ଟୁର୍ନାମେଣ୍ଟ ଜିତିବା ପାଇଁ ଫେଭରାଇଟ୍‌।

୬ ଦଳ ବିଶିଷ୍ଟ ଟୁର୍ନାମେଣ୍ଟରେ ଭାରତ ଓ ଦକ୍ଷିଣ କୋରିଆ ସର୍ବାଧିକ ୩ ଥର ଲେଖାଏ ଟାଇଟଲ ଜିତିଛନ୍ତି। ଏଥିଯୋଗୁ ଭାରତ ପାଖରେ ଘରୋଇ ପରିବେଶରେ ରେକର୍ଡ ଚତୁର୍ଥ ଟାଇଟଲ ହାତେଇବାର ସୁଯୋଗ ରହିଛି। ନିକଟ ଅତୀତରେ ମୁଖ୍ୟ କୋଚ୍‌ ଜୋଏର୍ଡ ମାରିଜନେଙ୍କ ମାର୍ଗଦର୍ଶନରେ ଭାରତୀୟ ଦଳର ପ୍ରଦର୍ଶନରେ ଉଲ୍ଲେଖନୀୟ ସୁଧାର ଆସିଛି।

ହାଇଦ୍ରାବାଦରେ ଅନୁଷ୍ଠିତ କ୍ୱାଲିଫାୟର ଜରିଆରେ ବିଶ୍ୱକପ୍‌ ଲାଗି ଯୋଗ୍ୟତା ହାସଲ କରିଥିବା ଭାରତ ଅକ୍‌ଲାଣ୍ଡରେ ଏଫ୍‌ଆଇଏଚ୍‌ ମହିଳା ନେଶନ୍ସ କପ୍‌ ଜିତି ପ୍ରୋ ଲିଗ୍‌କୁ ଉନ୍ନୀତ ହେବା ପରେ ବିଶ୍ୱକପ୍‌ରେ ପଞ୍ଚମ ସ୍ଥାନ ହାସଲ କରିଥିଲା, ଯାହାକି ୧୯୭୪ ପରେ ବିଶ୍ୱକପ୍‌ରେ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଥିଲା। ତେବେ ଦଳର ସବୁଠୁ ବଡ଼ ଉପଲବ୍ଧି ହେଉଛି ଗତ ମାସରେ ଜାପାନରେ ଏସିଆନ ଗେମ୍ସ ଜିତିବା। ଭାରତ ଦୀର୍ଘ ୪୪ ବର୍ଷର ଅପେକ୍ଷା ପରେ ମହିଳା ହକିରେ ସ୍ବର୍ଣ୍ଣ ପଦକ ଜିତିଥିଲା। ଅଭ୍ୟାସ ମ୍ୟାଚ୍‌ରେ ଜାପାନକୁ ୪-୧ରେ ଗୋଲରେ ହରାଇ ଟୁର୍ନାମେଣ୍ଟ ପୂର୍ବରୁ ପ୍ରତିଦ୍ୱନ୍ଦ୍ୱୀ ଦଳକୁ ଚେତାବନୀ ଦେଇଛି ଭାରତ।

ରାଉଣ୍ଡ-ରବିନ ଲିଗ୍‌ ପର୍ଯ୍ୟାୟରେ ଭାରତ ଓ୍ବାଲର୍‌ଡ ନଂ.୪ ଚାଇନା, ଜାପାନ ଓ ଦକ୍ଷିଣ କୋରିଆ ଭଳି ଶକ୍ତିଶାଳୀ ଦଳକୁ ଭେଟିବ। ଏ ସମ୍ପର୍କରେ ଭାରତୀୟ ଦଳର ଅଧିନାୟିକା ସାଲିମା ଟେଟେ କହିଛନ୍ତି, ଆମ ପ୍ରତିଦ୍ୱନ୍ଦ୍ୱୀ ଦଳ କ’ଣ କରୁଛନ୍ତି, ତାହା ଉପରେ ଆମେ ଧ୍ୟାନ ଦେଉ ନାହୁଁ। ଆମେ କେବଳ ନିଜ ଗେମ୍‌ ଉପରେ ଧ୍ୟାନଦେବା ସହ କୋଚ୍‌ଙ୍କ ଆଦେଶର ପାଳନ କରୁଛୁ।

ଲିଗ୍‌ ପର୍ଯ୍ୟାୟରୁ ୪ ଦଳ ସେମିଫାଇନାଲକୁ ଉନ୍ନୀତ ହେବେ, ଯାହାକି ୨୭ ତାରିଖରେ ଖେଳାଯିବ। ତୃତୀୟ ସ୍ଥାନ ଲାଗି ପ୍ଲେଅଫ୍‌ ମ୍ୟାଚ୍‌ ଓ ଫାଇନାଲ ୨୮ରେ ଅନୁଷ୍ଠିତ ହେବ। ଗୁରୁବାର ପ୍ରଥମ ମ୍ୟାଚ୍‌ରେ ମାଲେସିଆକୁ ଭେଟିବା ପରେ ଭାରତ ୨୧ରେ ଦକ୍ଷିଣ କୋରିଆ, ୨୨ରେ ଥାଇଲାଣ୍ଡ, ୨୪ରେ ଚାଇନା ଓ ୨୫ରେ ଜାପାନକୁ ଭେଟିବ।

Share