ତୃତୀୟ ଥର ପାଇଁ ବାହାର ରାଜ୍ୟକୁ କନ୍ଧମାଳ ହଳଦୀ ବିକ୍ରି କଲେ ମହିଳା

ଦାରିଙ୍ଗବାଡ଼ି, ୧୧/୧୧ (ଅରୁଣ ସାହୁ): କନ୍ଧମାଳ ହଳଦୀ ସାରା ବିଶ୍ୱରେ ଖ୍ୟାତି ଅର୍ଜନ କରିଥିବା ବେଳେ ଏବେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ନେଇ ଗଠିତ ପ୍ରଡ୍ୟୁସର ଗ୍ରୁପ୍ ମାଧ୍ୟମରେ ହଳଦୀର ପ୍ରକ୍ରିୟାକରଣ ଓ ମୂଲ୍ୟଯୁକ୍ତ ଉତ୍ପାଦ ପ୍ରସ୍ତୁତ କରାଯାଉଛି। ଏହାଦ୍ୱାରା ମହିଳାମାନେ ସିଧାସଳଖ ବାହାର ରାଜ୍ୟର ବଡ଼ ବଡ଼ କମ୍ପାନୀକୁ କନ୍ଧମାଳ ହଳଦୀ ଯୋଗାଇ ଆର୍ଥିକ ଭାବେ ସ୍ୱାବଲମ୍ବୀ ହେଉଛନ୍ତି।

ଏହି କ୍ରମରେ ଦାରିଙ୍ଗବାଡ଼ି ବ୍ଲକ୍ ଶ୍ରାନିକେତା ପଞ୍ଚାୟତ ଅନ୍ତର୍ଗତ ସୁଲୁମାହା ଗ୍ରାମର ପ୍ରଗତି ବନଧନ ବିକାଶ କେନ୍ଦ୍ରର ମହିଳାମାନେ ତୃତୀୟ ଥର ପାଇଁ ଆନ୍ଧ୍ରପ୍ରଦେଶସ୍ଥିତ ଆଇଟିସି ଲିମିଟେଡ୍‌କୁ ୧୬ ମେଟ୍ରିକ୍ ଟନ୍ ଡବଲ୍ ପଲିସ୍ ହଳଦୀ ବିକ୍ରି କରିଛନ୍ତି। ଏହି ହଳଦୀର ଆନୁମାନିକ ମୂଲ୍ୟ ପ୍ରାୟ ୨୭ ଲକ୍ଷ ଟଙ୍କା ହେବ ବୋଲି ଆଇଟିଡିଏ କାର୍ଯ୍ୟାଳୟର ବନଧନ ବିକାଶ ଯୋଜନାର ପରିଚାଳକ ଜୋନାଥନ ଦିଗାଲ ସୂଚନା ଦେଇଛନ୍ତି।

ଆଇଟିସି ପକ୍ଷରୁ କ୍ରୟ ଆଦେଶ ମିଳିବା ପରେ ମହିଳାମାନେ ହଳଦୀ ପ୍ରସ୍ତୁତ କରିଥିଲେ। ଶୁକ୍ରବାର ଟ୍ରକ୍‌ ଯୋଗେ ହଳଦୀ ବୋଝେଇ କରାଯାଇ ଆନ୍ଧ୍ରପ୍ରଦେଶ ପଠାଯାଇଥିଲା। ବାଲିଗୁଡ଼ା ଆଇଟିଡିଏର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା ସବୁଜ ପତାକା ଦେଖାଇ ହଳଦୀ ଟ୍ରକ୍‌ର ଶୁଭାରମ୍ଭ କରିଥିଲେ।

ମହିଳାମାନଙ୍କୁ ହଳଦୀର ପ୍ରକ୍ରିୟାକରଣ, ମୂଲ୍ୟଯୁକ୍ତ ଉତ୍ପାଦ ପ୍ରସ୍ତୁତି ଓ ବଜାର ସଂଯୋଗ ମାଧ୍ୟମରେ ଅଧିକ ସଶକ୍ତ ଓ ସ୍ୱାବଲମ୍ବୀ କରିବା ପାଇଁ ଆଇଟିଡିଏ ପକ୍ଷରୁ ବନଧନ ବିକାଶ ଯୋଜନାକୁ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ କ୍ରେତା ଓ ବିକ୍ରେତାଙ୍କୁ ନେଇ ନିୟମିତ ତାଲିମ ଶିବିର ଆୟୋଜନ କରାଯାଉଛି। ମଙ୍ଗଳବାର ମଧ୍ୟ ଏକ ଦିବସୀୟ ପ୍ରଶିକ୍ଷଣ ଶିବିରରେ ମହିଳାମାନଙ୍କୁ ହଳଦୀ ଚାଷ, ଫସଲ ସଂରକ୍ଷଣ ଓ ପରିଚାଳନା ସମ୍ପର୍କରେ ତାଲିମ ଦିଆଯାଇଥିଲା।

ଆଇଟିଡିଏର ସହଯୋଗରେ ସୁଲୁମାହା ବନଧନ ବିକାଶ କେନ୍ଦ୍ରର ମହିଳାମାନେ ଏହି ସଫଳତା ହାସଲ କରିଛନ୍ତି। ଚଳିତ ବର୍ଷ ୧୬ ମେଟ୍ରିକ୍ ଟନ୍ ହଳଦୀ ପଠାଯାଇଥିବା ବେଳେ ଆଗକୁ ଅଧିକ କ୍ରୟ ଆଦେଶ ମିଳିଲେ ଆହୁରି ହଳଦୀ ଯୋଗାଇବାକୁ ମହିଳା ଉଦ୍ୟୋଗୀମାନେ ପ୍ରସ୍ତୁତ ଥିବା କହିଛନ୍ତି।

Dharitri – Odisha’s No.1 Odia Daily

Share