‘ମହିଳା ସଂରକ୍ଷଣ ବିଲ୍‌ ପାରିତ ହେଉ’

ଭୁବନେଶ୍ୱର,୧୬।୧୨(ବ୍ୟୁରୋ):ପାର୍ଲାମେଣ୍ଟରେ ମହିଳା ସଂରକ୍ଷଣ ବିଲ୍‌ ପାରିତ କରିବା ନେଇ ବିଜେଡି ଦାବି ଉଠାଇଛି। ବିଜେଡି ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ର ଗୁରୁବାର ରାଜ୍ୟ ସଭାରେ ଏକ ସ୍ବତନ୍ତ୍ର ଆଲେଖ୍ୟରେ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ଯେ ମହିଳା ବିଲ୍‌ ପାରିତ ହେଲେ ନାରୀ ସଶକ୍ତୀକରଣ କ୍ଷେତ୍ରରେ ଏକ ଐତିହାସିକ ପଦକ୍ଷେପ ହେବ। ଭାରତ ସ୍ବାଧୀନତାର ୭୫ ବର୍ଷରେ ଅମୃତ ମହୋତ୍ସବ ପାଳୁଥିବା ବେଳେ ଆସନ୍ତା ବର୍ଷ ଭାରତ ଜି-୨୦ ସମ୍ମିଳନୀରେ ଅଧ୍ୟକ୍ଷତା କରିବ। ଏହି ପ୍ରସ୍ତାବ ପାରିତ କରିବାର ଏକ ବଡ଼ ସୁଯୋଗ ଆସିଛି। ମହିଳା ସଂରକ୍ଷଣ ବିଲ୍‌ ପାରିତ କରି ବିଶ୍ବରେ ଭାରତ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିପାରିବ।
ଏହି ବିଲ୍‌ ୬୬କୋଟି ମହିଳା ସଶକ୍ତୀକରଣରେ ଇତିହାସ ସୃଷ୍ଟି କରିବ। ପାର୍ଲାମେଣ୍ଟରେ ୩୩ ପ୍ରତିଶତ ସଂରକ୍ଷଣ ହେଲେ ମହିଳାଙ୍କୁ ନେତୃତ୍ୱ ଦେବା କ୍ଷେତ୍ରରେ ନୂଆ ମାଇଲଷ୍ଟୋନ ସ୍ଥାପନ ହୋଇପାରିବ। ଗତ ୧ ବର୍ଷ ହେବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ସଂରକ୍ଷଣ ବିଲ୍‌ ସଂସଦରେ ପାରିତ କରିବାକୁ ଦାବି କରିଆସୁଛନ୍ତି। ୨୦୧୮ରେ ବିଜେଡି ପକ୍ଷରୁ ଏକ ପ୍ରତିନିଧିମଣ୍ଡଳୀ ୨୨ଟି ରାଜନୈତିକ ଦଳକୁ ଭେଟି ଏହି ବିଲ୍‌କୁ ସମର୍ଥନ କରିବା ପାଇଁ ଅପିଲ କରାଯାଇଥିଲା। ୨୦୧୯ ଲୋକ ସଭା ନିର୍ବାଚନରେ ବିଜେଡି ପକ୍ଷରୁ ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରାଯାଇଥିଲା।