Categories: ରାଜ୍ୟ

ଅଳଙ୍କାର କ୍ଲଷ୍ଟର ଲାଗି ମହିଳା ଉଦ୍ୟୋଗୀଙ୍କ ଯୋଜନା

ଭୁବନେଶ୍ୱର,୯।୧୦: ରାଜ୍ୟ ମଧ୍ୟରେ ଅଳଙ୍କାର କ୍ଲଷ୍ଟର ବିକାଶ ଲାଗି ମହିଳା ଉଦ୍ୟୋଗୀମାନେ ଯୋଜନା ରଖିଛନ୍ତି। ଏହାବାଦ ଏଭଳି କ୍ଷେତ୍ର ସହ ଜଡ଼ିତ ଏକ କମନ ଫାସିଲିଟି ସେଣ୍ଟର ସ୍ଥାପନ କରିବା ମଧ୍ୟ ଯୋଜନା ରଖାଯାଇଛି। କେନ୍ଦ୍ର ପକ୍ଷରୁ ଏଥିଲାଗି ୨୦ କୋଟି ଟଙ୍କାର ପାଣ୍ଠି ବ୍ୟବସ୍ଥା କରାଯାଇଥିବା ଆଇସିସି ୱମେନ୍‌ ଏଣ୍ଟରପ୍ରେନ୍ୟୁରଶିପ୍‌ କମିଟି (ଆଇଡବ୍ଲ୍ୟୁଇସି) ଓ ଏମ୍‌ଏସ୍‌ଏମ୍‌ଇ ଡେଭଲପମେଣ୍ଟ ଇନ୍‌ଷ୍ଟିଚ୍ୟୁଟ୍‌, କଟକ ପକ୍ଷରୁ ମିଳିତ ଭାବେ ଆୟୋଜିତ ଏମ୍‌ଏସ୍‌ଇ-ସିଡିପି ସ୍କିମ୍‌ ଓ ନିବେଶକ ସଚେତନତା କାର୍ଯ୍ୟକ୍ରମରେ ଅତିଥିମାନେ ଏଭଳି ଦିଗ ଉପରେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି। ତାରକସି, ଜାଲି କାମ ଓ ଚମତ୍କାର କାରିଗରି କୌଶଳରେ ନିପୁଣ ଥିବାରୁ ଓଡ଼ିଶା ଅନ୍ୟ ରାଜ୍ୟଗୁଡିକ ତୁଳନାରେ ବହୁ ଆଗରେ ରହିଛି। ରାଜ୍ୟରେ ଏକ ଅଳଙ୍କାର କ୍ଲଷ୍ଟର ସ୍ଥାପନ କରିବା ଲାଗି ଉଦ୍ୟୋଗୀମାନେ ଆଗେଇ ଆସିବା ଦରକାର ବୋଲି ଟାଇ ଇଣ୍ଡିଆ ଆଞ୍ଜେଲ୍‌ସର ଅଧ୍ୟକ୍ଷ ମହାବୀର ପ୍ରତାପ ଶର୍ମା କହିଛନ୍ତି। ଏହି ଅବସରରେ ଏମ୍‌ଏସ୍‌ଏମ୍‌ଇ-ଡିଆଇ, କଟକର ଯୁଗ୍ମ ନିର୍ଦ୍ଦେଶକ ଓ ଏଚ୍‌ଓଡି ପି.କେ. ଗୁପ୍ତା ଅଳଙ୍କାର, ଟୁରିଜମ୍‌, ସେଲୁନ ଓ ୱେଲ୍‌ନେସ୍‌ ସେଣ୍ଟରର ବ୍ୟବସାୟୀମାନଙ୍କୁ ଆଗକୁ ଆସି ସେମାନଙ୍କ କ୍ଷେତ୍ର ପାଇଁ କମନ ଫାସିଲିଟି ସେଣ୍ଟର ସ୍ଥାପନ କରିବାକୁ ଆହ୍ବାନ ଦେଇଥିଲେ। କାର୍ଯ୍ୟକ୍ରମରେ ଆଇସିସି ଓଡିଶା କାଉନସିଲର ଅଧ୍ୟକ୍ଷ ଜେ.ବି.ପାଣି, ଆଇଡବ୍ଲ୍ୟୁଇସି କନ୍‌ଭେନର୍‌ ସୁକ୍ରିତି ପଟ୍ଟନାୟକ, ଆଇସିସି ଓଡ଼ିଶା ଚାପ୍ଟରର ରାଜ୍ୟ ମୁଖ୍ୟ ଜ୍ୟୋତିପ୍ରକାଶ ପାଲ୍‌, ଆଇସିସି ୱମେନ୍‌ ଏଣ୍ଟରପ୍ରେନ୍ୟୁର୍ସ କମିଟିର କୋ-କନ୍‌ଭେନର ଚିଦାତ୍ମିକା ଖଟୁଆ ପ୍ରମୁଖ ଉପସ୍ଥିତ ଥିଲେ।