Categories: ଖେଳ

୬ ମାସ ପରେ ଫେରିଲା ମହିଳା କ୍ରିକେଟ୍‌

ଲଣ୍ଡନ, ୨୨।୯: କରୋନା ମହାମାରୀ ମଧ୍ୟରେ ୬ ମାସ ପରେ ଅନ୍ତର୍ଜାତୀୟସ୍ତରରେ ମହିଳା କ୍ରିକେଟ୍‌ ପ୍ରତ୍ୟାବର୍ତ୍ତନ କରିଛି। ଘରୋଇ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମହିଳା କ୍ରିକେଟ୍‌ ଦଳ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡ ଦଳ ୪୭ ରନରେ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ମହିଳା କ୍ରିକେଟ୍‌ ଦଳକୁ ପରାସ୍ତ କରିଛି।
କାଉଣ୍ଟି ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଓପନର୍‌ ତାମି ବିଉମଣ୍ଟ (୬୨ ରନ)ଙ୍କ ଅର୍ଦ୍ଧଶତକ ବଳରେ ୨୦ ଓଭରରେ ୮ ଉଇକେଟ୍‌ ହରାଇ ୧୬୩ ରନ କରିଥିଲା। ଜବାବରେ ଓ୍ବେଷ୍ଟଇଣ୍ଡିଜ ଡେଣ୍ଡ୍ରା ଡଟିନ (୬୯)ଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ୧୧୬/୬ ସ୍କୋରରେ ସୀମିତ ରହିଥିଲା। ଏହି ମ୍ୟାଚ୍‌ ଜିତି ଇଂଲଣ୍ଡ ସିରିଜରେ ୧-୦ରେ ଅଗ୍ରଣୀ ଲାଭ କରିଛି। ସିରିଜର ୨ୟ ମ୍ୟାଚ୍‌ ବୁଧବାର ଖେଳାଯିବ। ଏଠାରେ ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଫେବୃୟାରୀରେ ମହିଳା ବିଶ୍ୱକପ୍‌ ଆୟୋଜନ କରାଯାଇଥିଲା। ମାର୍ଚ୍ଚ ୮ରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ଭାରତକୁ ପରାସ୍ତ କରି ଅଷ୍ଟ୍ରେଲିଆ ବିଶ୍ୱ ଚାମ୍ପିୟନ ହୋଇଥିଲା। ଏହାପରଠାରୁ କରୋନା ଭାଇରସ୍‌ ଲାଗି ମହିଳା କ୍ରିକେଟ୍‌ ସ୍ଥଗିତ ରହିଥିଲା।

Share