ନବୀନଙ୍କ ଜନ୍ମଦିନରେ ରକ୍ତଦାନ କଲେ ସଂଖ୍ୟାଲଘୁ ମହିଳା, ପୁରୁଷ

ନିଶ୍ଚିନ୍ତକୋଇଲି,୧୬ା୧୦(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ସୁକରପଡ଼ା ଡାକବଙ୍ଗଳାରେ ନିଶ୍ଚିନ୍ତକୋଇଲି ସଂଖ୍ୟାଲଘୁ ସେଲ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ ନବୀନଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିବା ସହ ସରକାରଙ୍କ ଜନ କଲ୍ୟାଣ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକ ସଂଖ୍ୟାଲଘୁ ସଭାପତି ମିର୍ଜା ଅବଦୁଲ ବେଗ୍‌, ଜିଲା ଉପସଭାପତି ଜାକିର ଖାଁ, ନୁର୍‌ ଖାଁ ମୌଲାନା ମୁକ୍ତାର କଲାମ ଖାଁ,ବ୍ଲକ ଉପାଧ୍ୟକ୍ଷ ଅଶୋକ ଓଝା,ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି ଯୋଗ ଦେଇଥିଲେ। ଏହି ଅବସରରେ କେକ୍‌ କଟାଯିବା ସହ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ସଂଖ୍ୟାଲଘୁର ମହିଳା ଏବଂ ପୁରୁଷମାନେ ରକ୍ତଦାନ କରିଥିଲେ। ଯାହାକି ବିରଳ ଘଟଣା। ମୋଟ୍‌ ୨୫୬ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଛି।