ଦିଗପହଣ୍ଡି,୮ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧଖଣ୍ଡି ଗ୍ରାମର ସଚଳା ରାଉତ(୩୫)ଙ୍କ ଆକସ୍ମିକ ମୃତ୍ୟୁ ଘଟିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ସୋମବାର ସକାଳେ ଦିଗପହଣ୍ଡି ପୋଲିସ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ମୃତଦେହ ଜବତ କରି ଥାନା ଅପମୃତ୍ୟୁ ମାମଲା ନଂ.୩୦/୨୬ ଅନୁଯାୟୀ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଥିଲେ। ଅପରାହ୍ନରେ ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ରବିବାର ସନ୍ଧ୍ୟାରେ ଘରେ ଥିବା ସଚଳା ଆକସ୍ମିକ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ପରିବାର ଲୋକେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରାତିରେ ତାଙ୍କ ମୃତ୍ୟୁ ଘଟିଥିଲା। ସଚଳାଙ୍କ ସ୍ବାମୀ ବୁଲୁ ରାଉତ ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେବା ପରେ ଆଇଆଇସି କିଶୋର କୁମାର ସାମଲ ଅପମୃତ୍ୟୁ ମାମଲା ରୁଜୁ କରିଥିଲେ। ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଆଇଆଇସି କହିଛନ୍ତି।