ଖଇରା,୧୧ା୫(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ହରିପୁର ଗ୍ରାମରେ ଘର ତିଆରି ପାଇଁ ସେଣ୍ଟରିଂ ବେଳେ ଅଭାବନୀୟ ଘଟଣା ଘଟି ଯାଇଛି। ସୀମା ବିବାଦକୁ କେନ୍ଦ୍ର କରି ବିବାଦ ଉଗ୍ରରୁପ ଧାରଣ କରିବା ପରେ ପଡ଼ୋଶୀଙ୍କ କୋଦାଳ ଓ ଶାବଳମାଡ଼ରେ କମଳା ସେଠୀ(୩୯)ଙ୍କ ମୃତ୍ୟୁ ହୋଇଥିବାବେଳେ କମଳାଙ୍କ ଭାଉଜ ଶଙ୍କୁନ୍ତଳା ସେଠୀ ଗୁରୁତର ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ଅବସ୍ଥା ମଧ୍ୟ ସଙ୍କଟାପନ୍ନ ଅଛି।
ଖଇରା ପୋଲିସ ଏନେଇ କେସ୍ ନଂ ୧୨୩/୨୬ରେ ଏକ ମାମଲା ରୁଜୁ କରି ଆକ୍ରମଣରେ ସଂପୃକ୍ତ ଭାରତୀ ଜେନା ନାମକ ମହିଳାଙ୍କୁ ଅଟକ ରଖିଛନ୍ତି। ରବିବାର ପୂର୍ବାହ୍ନରେ ସୁରେନ୍ଦ୍ର ସେଠୀଙ୍କର ଘର ଛାତ ପାଇଁ ସେଣ୍ଟରିଂ କାର୍ଯ୍ୟ ଚାଲିଥିବା ବେଳେ ପଡ଼ୋଶୀ ଭରତ ଜେନା ଓ ତାଙ୍କ ପରିବାର ର ଅନ୍ୟମାନେ ଆମ ଜାଗାକୁ କାହିଁକି ମାଡ଼ିଆସିଛ ବୋଲି କହି ପାଟିତୁଣ୍ଡ ଆରମ୍ଭ କରିଥିଲେ। ଘଟଣା ଉଗ୍ରରୂପ ଧାରଣ କରିବା ପରେ ହଠାତ୍ ଭରତ ଓ ତାଙ୍କ ସ୍ତ୍ରୀ ଭାରତୀ ପୁଅ ମାନସ ଓ ମିନତୀ ଉତ୍ତ୍ୟକ୍ତ ହୋଇ ଶାବଳ ଓ କୋଦାଳରେ ସୁରେନ୍ଦ୍ର ଓ ତାଙ୍କ ପତ୍ନୀ ଶଙ୍କୁନ୍ତଳା,ଝିଅ ତୁଳସୀ ଓ ଭଉଣୀ କମଳାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଆହତଙ୍କୁ ପ୍ରଥମେ ଖଇରା ଓ ପରେ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।