ପାରିବାରିକ କଳହରୁ ଠେଙ୍ଗାରେ ପିଟି ସ୍ତ୍ରୀକୁ ହତ୍ୟା

ପରଜଙ୍ଗ,୧୮।୨(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଆମ୍ବପଳାସ ଗାଁର ସାନମସମସା ସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ଠେଙ୍ଗାରେ ପିଟି ସ୍ତ୍ରୀକୁ ହତ୍ୟା କରିଛନ୍ତି ମଦ୍ୟପ ସ୍ବାମୀ । ମୃତକ ହେଲେ ମମତା ଖଟୁଆ।
ପୋଲିସ କହିବାନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ମମତା ଏବଂ ସ୍ବାମୀ ଅଷ୍ଟମ ଖଟୁଆଙ୍କ ମଧ୍ୟରେ କୌଣସି କାରଣକୁ ନେଇ କଳହ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଅଷ୍ଟମ ତାଙ୍କ ସ୍ତ୍ରୀ ମମତାଙ୍କୁ ଏକ ଠେଙ୍ଗାରେ ଆକ୍ରମଣ କରିଥିଲେ। ଫଳରେ ମମତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଶନିବାର ସକାଳେ ଅଷ୍ଟମ ଏବଂ ତାଙ୍କର ବଡ଼ଭାଇ ଶିବ ଖଟୁଆ ମିଶି ଘର ପଛପାଖ ଜଙ୍ଗଲକୁ ମୃତଦେହ ପୋତିବାକୁ ଯାଉଥିଲେ। ହେଲେ ବିଶେଷସୂତ୍ରରୁ ଖବର ପାଇ ପରଜଙ୍ଗ ପୋଲିସ ପହଞ୍ଚତ୍ ମୃତଦେହ ଜବତ କରିଥିଲା। ପରେ ପୋଲିସ ୨ ଭାଇଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଚଳାଇଛି। ସାଇଣ୍ଟିଫିକ୍‌ ଟିମ୍‌ ତଦନ୍ତ ଆରମ୍ଭ କରିଛି।