ବାଲେଶ୍ୱର,୨୬।୧୧(ମୃତ୍ୟୁଞ୍ଜୟ ପଟ୍ଟନାୟକ): ଝିଅ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ଥିଲେ ମଧ୍ୟ ଛୁଟି ମିଳୁନଥିବା ଅଭିଯୋଗ କରିଛନ୍ତି ଜଣେ ମହିଳା ଟ୍ରାଫିକ କନଷ୍ଟେବଳ । ଏ ନେଇ ସେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗକାରିଣୀ ହେଉଛନ୍ତି ଟ୍ରାଫିକ ମହିଳା କନଷ୍ଟେବଳ ସ୍ନେହମଞ୍ଜରୀ ଲେଙ୍କା ଓରଫ ରୁବି ଲେଙ୍କା। ତାଙ୍କ ଛୋଟ ଝିଅ ୩ ଦିନ ହେବ ଅସୁସ୍ଥ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ସେ କହିଛନ୍ତି ।
ସ୍ନେହମଞ୍ଜରୀଙ୍କ ଅଭିଯୋଗ ଅନୁସାରେ, ଝିଅର ଯତ୍ନ ନେବା ପାଇଁ ସେ ଡାକ୍ତରଖାନା ଯିବାକୁ ଚାହୁଁଥିଲେ ମଧ୍ୟ ଟ୍ରାଫିକ ଥାନା ଭାରାପ୍ରାପ୍ତ ଅଧିକାରିଣୀ ତାଙ୍କୁ ଛୁଟି ଦେଉ ନାହାନ୍ତି । ଏ ନେଇ ସେ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ମଧ୍ୟ ନିବେଦନ କରିଥିଲେ, ହେଲେ ସୁଫଳ ମିଳି ନଥିଲା। ତେବେ ଗତ ବୁଧବାର ସନ୍ଧ୍ୟାରେ ସେ ପୋଲିସ ଲାଇନ୍ ଛକରେ ଡ୍ୟୁଟିରେ ଥିଲାବେଳେ ଖବର ପାଇ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି ସେଠାରେ ପହଞ୍ଚିଥିଲେ । ତାଙ୍କ ନିକଟରେ ମହିଳା କନଷ୍ଟେବଳ କାନ୍ଦି କାନ୍ଦି କହିଥିଲେ, “ଅଧିକାରୀ ନିଜ ପିଲାର ଜନ୍ମଦିନ ପାଳୁଛନ୍ତି, କିନ୍ତୁ ମୋ ଅସୁସ୍ଥ ପିଲା ପାଇଁ ମୋତେ ଛୁଟି ଦେଉ ନାହାନ୍ତି। ମୁଁ ବି ଜଣେ ମା’, ମୋ ଦୁଃଖ କର୍ତ୍ତୃପକ୍ଷ ବୁଝିବା ଦରକାର । ମହିଳା କର୍ମଚାରୀଙ୍କ ପାଇଁ ଅତିରିକ୍ତ ଛୁଟି ପ୍ରଦାନ କରିବାର ସରକାରୀ ନିୟମ ଥିଲେ ମଧ୍ୟ ଟ୍ରାଫିକ ଥାନା ଅଧିକାରିଣୀ ତାହାକୁ ଗୁରୁତ୍ୱ ଦେଉ ନାହାନ୍ତି ।”
ଏ ସମ୍ପର୍କରେ ବାଲେଶ୍ୱର ଟ୍ରାଫିକ ଥାନାର ଭାରପ୍ରାପ୍ତ ଅଧିକାରିଣୀ ଡିଏସ୍ପି ପ୍ରଜ୍ଞା ମହାନ୍ତିଙ୍କ ପ୍ରତିକ୍ରିୟା ନେବା ପାଇଁ ମୋବାଇଲ୍ ଫୋନ୍ ଯୋଗେ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କଲ୍ ରିସିଭ୍ କରି ନଥିଲେ ।