ପୁରୁଷୋତ୍ତମପୁର,୨୦ା୧୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକର ଭୀମପୁର ପଞ୍ଚାୟତରେ ଜନଆକ୍ରୋଶ ଉଗ୍ରରୂପ ନେଇଛି। ଉତ୍ତ୍ୟକ୍ତ ମହିଳାମାନେ ଗାଁଦାଣ୍ଡରେ ସମିତିସଭ୍ୟଙ୍କ ବେକରେ ଗାମୁଛା ପକାଇ ଘୋଷାଡ଼ି ଘୋଷାଡ଼ି ନେଉଥିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଅଭାବନୀୟ ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ବିପନ୍ନଙ୍କ ଲାଗି ସରକାର ଓ ଜିଲା ପ୍ରଶାସନ ସହାୟତା ଯୋଗାଇ ଦେଉଥିବା ବେଳେ ଏଠାରେ ତାହା ଠିକ ରୂପେ ପହଞ୍ଚି ପାରୁନାହିଁ। ପୂର୍ବରୁ ବାତ୍ୟା ଅର୍ଣ୍ଣବ ଜନିତ ବନ୍ୟା ସମୟରେ ପଞ୍ଚାୟତ ପକ୍ଷରୁ ଆବଶ୍ୟକ ସହଯୋଗ ମିଳି ନ ଥିବା ବେଳେ ଏବେ ପୁଣି ବାତ୍ୟା ଅକ୍ୱାନ ପ୍ରଭାବରେ କ୍ଷତିଗ୍ରସ୍ତ ଲୋକଙ୍କ ପାଖରେ ମଧ୍ୟ ସହାୟତା ଠିକ୍ ଭାବେ ପହଞ୍ଚୁ ନ ଥିବା ଅଭିଯୋଗରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିଥିଲା।
ଶୁକ୍ରବାର ତହସିଲଦାର ବିନୋଦ କୁମାର ବେହେରା ଓ ଅତିରିକ୍ତ ତହସିଲଦାର ଦେବାଶିଷ ମହାପାତ୍ର ସାହୁ ଗ୍ରାମକୁ କ୍ଷୟକ୍ଷତି ଆକଳନ ପାଇଁ ଯାଇଥିବା ବେଳେ ଗ୍ରାମବାସୀ ନିଜନିଜର ଗୁହାରି ଓ ଅଭିଯୋଗ ଜଣାଇଥିଲେ। ଏହି ସମୟରେ ସମିତିସଭ୍ୟ ଜଗନ୍ନାଥ ପାତ୍ର କୁଆଡ଼େ ମହିଳାମାନଙ୍କୁ ଅସଦ୍ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏଥିରେ ଉତ୍ତ୍ୟକ୍ତ ହୋଇ ମହିଳାମାନେ ତାଙ୍କୁ ଘେରିବା ସହ ବେକରେ ଗାମୁଛା ପକାଇ ଗାଁଦାଣ୍ଡରେ ଘୋଷାଡ଼ି ଘୋଷାଡ଼ି ନେଇଥିଲେ। ଅନ୍ୟପକ୍ଷରେ କୌଣସି ଅସଦ୍ବ୍ୟବହାର କରି ନ ଥିବାର ନେଇ ସମିତିସଭ୍ୟ କହିଛନ୍ତି। ଘଟଣାର ଖବର ପାଇ ଛତ୍ରପୁର ଉପଜିଲାପାଳ ଡ.ଶିବାଶିଷ ବରାଳ ଗ୍ରାମରେ ପହଞ୍ଚି ଉତ୍ତ୍ୟକ୍ତ ମହିଳା ଓ ଗ୍ରାମବାସୀଙ୍କୁ ବୁଝାଶୁଝା କରିଥିଲେ। ତେବେ ବିପର୍ଯ୍ୟୟ ସମୟରେ ସହାୟତା ବଣ୍ଟନକୁ ନେଇ ଏଭଳି ଜନଅସନ୍ତୋଷ କାହିଁକି ଉଗ୍ରରୂପ ନେଲା, ତାହା ଏବେ ବଡ଼ ପ୍ରଶ୍ନ ସୃଷ୍ଟି କରିଛି।