ପୁରୁଷୋତ୍ତମପୁର,୩୦ା୯(ସବିତା ମିଶ୍ର): ପାଣି ପାଇଁ ଫୁଟିଲା ଅସନ୍ତୋଷ। ହାଣ୍ଡି-ମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇଲେ ମହିଳା। ଦୁଇ ମାସ ଧରି ପାନୀୟଜଳ ମିଳୁ ନ ଥିବା ଅଭିଯୋଗରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁରବ୍ଲକ ଭୂତସରସିଙ୍ଗି ପଞ୍ଚାୟତର ରାଜପୁର, ଦାସିଆମାରିପଲ୍ଲୀର ମହିଳାମାନେ କବିସୂର୍ଯ୍ୟନଗର-ପୁରୁଷୋତ୍ତମପୁର ମୁଖ୍ୟରାସ୍ତା ଅବରୋଧ କରି ଧାରଣାରେ ବସିଛନ୍ତି। ଫଳରେ ସକାଳ ୭ଟାରୁ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ଯାନବାହନ ଚଳାଚଳ ଠପ୍ ହୋଇ ଜନସାଧାରଣ ହନ୍ତସନ୍ତ ହୋଇଥିଲେ। ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି ଯେ, ଦୀର୍ଘଦିନ ଧରି ଗ୍ରାମରେ ନିୟମିତ ପାଣି ମିଳୁନାହିଁ। ପାଣିଯୋଗାଣ ଦାୟିତ୍ୱରେ ଥିବା କର୍ମଚାରୀ ତାଙ୍କ ମନଇଛାରେ ପାଣି ଯୋଗାଣ କରଛନ୍ତି। ଏଣୁ ବାଧ୍ୟହୋଇ ଲୋକେ ପୋଖରୀ ଓ ବିଲର ଦୂଷିତ ପାଣିକୁ ପିଇବା ଓ ରୋଷେଇ କାର୍ଯ୍ୟରେ ବ୍ୟବହାର କରୁଛନ୍ତି। ପୂର୍ବରୁ ମଧ୍ୟ ଏପରି ଆନ୍ଦୋଳନ କରି ପ୍ରତିଶ୍ରୁତି ପାଇଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହୋଇନଥିବାର ସେମାନେ କହିଛନ୍ତି। ବର୍ତ୍ତମାନ କଥାରେ ନୁହେଁ, କାମରେ ଦରକାର। ପାଣି ନ ମିଳିଲେ ରାସ୍ତାରୁ ଉଠିବୁ ନାହିଁ ବୋଲି କହି ମହିଳାମାନେ ଜିଦ୍ରେ ଅଟଳ ରହିଥିଲେ। ଗତ ଲଗାଣ ବର୍ଷା ସମୟରେ ମୋଟରର କେବୁଲ ପୋଡ଼ିଯାଇଥିଲା। ମରାମତି ପରେ ମଧ୍ୟ ଜଳଯୋଗାଣ ସ୍ବାଭାବିକ ହୋଇନଥିଲା।
ଅନ୍ୟପକ୍ଷରେ, ଜଳଯୋଗାଣ ଦାୟିତ୍ୱରେ ଥିବା କର୍ମଚାରୀ ଲକ୍ଷ୍ମଣ ନାହାକ କହିଛନ୍ତି ଯେ, ୪ ବର୍ଷ ହେଲା ପଞ୍ଚାୟତ କିମ୍ବା ଗ୍ରାମ୍ୟ କମିଟି ପକ୍ଷରୁ ତାଙ୍କୁ ପାରିଶ୍ରମିକ ଦେଇ ନ ଥିବାରୁ ସେ ଜଳଯୋଗାଣ ବନ୍ଦ କରିଛନ୍ତି। ଖବର ପାଇ ଅତିରିକ୍ତ ତହସିଲଦାର ଦେବାଶିଷ ମହାପାତ୍ର, ସଙ୍ଗୀତା ସେଠୀ, ଏସ୍ଡିପିଓ ସୁଜିତ କୁମାର ନାୟକ, ଆଇଆଇସି କୁଳମଣି ସେଠୀ ଓ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ମହିଳାମାନଙ୍କୁ ବୁଝାଶୁଝା କରିଥବାରେ ଲାଗି ଗ୍ରାମ୍ୟ ଜଳଯୋଗାଣ କନିଷ୍ଠ ଯନ୍ତ୍ରୀ ନର୍ମଦା ପାତ୍ରଙ୍କୁ ଡକାଇ ସମସ୍ୟା ସମାଧାନ ନେଇ ଆଲୋଚନା କରି ତୁରନ୍ତ ଟ୍ୟାଙ୍କର ମାଧ୍ୟମରେ ପାଣି ଯୋଗାଇ ଦେବା ସହ ସନ୍ଧ୍ୟାରେ ପୂର୍ବଭଳି ମୋଟର ମାଧ୍ୟମରେ ପାଇପ୍ ଲାଇନରେ ପାଣି ଯୋଗାଣ କରିବାର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ହଟିଥିଲା।