ଶାଶୁଘର ଆଗରେ ଧାରଣାରେ ବସିଲେ ମହିଳା

ଯାଜପୁର ଟାଉନ,୨୫।୧୧:(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଅନ୍ତର୍ଗତ ଲଳିତେଶ୍ୱରରେ ଶାଶୁଘର ସମ୍ମୁଖରେ ମଙ୍ଗଳବାର ଜଣେ ମହିଳା ଧାରଣା ଦେଇଛନ୍ତି। ସ୍ବାମୀଙ୍କ ସହ ତାଙ୍କର ଛାଡ଼ପତ୍ର ମାମଲା ୪ବର୍ଷ ଧରି ଅଦାଲତରେ ବିଚାରାଧୀନ ଥିବାବେଳେ ମହିଳା ଜଣକ ତାଙ୍କ ଶ୍ୱଶୁରଙ୍କ ଶୁଦ୍ଧିକ୍ରିୟାକୁ ଆସିଥିଲେ। ହେଲେ ତାଙ୍କୁ ଘରେ ପ୍ରବେଶ କରିବାକୁ ଦିଆ ନ ଯିବାରୁ ସେ ଧାରଣାରେ ବସିଛନ୍ତି। ତାଙ୍କ ଯାଆ ଓ ଦେଢ଼ଶୁର ତାଙ୍କୁ ଘରେ ପୂରାଇ ଦେଉ ନ ଥିବା ସେ ଅଭିଯୋଗ କରିଛନ୍ତି। ପୋଲିସ ପହଞ୍ଚତ୍ ତାଙ୍କୁ ବୁଝାଶୁଝା କରିଛି। ଧାରଣାରେ ବସିଥିବା ମହିଳା ଜଣକ ହେଉଛନ୍ତି ଦଶରଥପୁର ବ୍ଲକ କଟିକଟା ଅଞ୍ଚଳର ସରିତା ବେହେରା।
ଦମ୍ପତିଙ୍କ ମଧ୍ୟରେ ଛାଡ଼ପତ୍ରକୁ ନେଇ ଅଦାଲତରେ ମାମଲା ଚାଲିଥିବା ସମୟରେ ଶ୍ୱଶୁରଙ୍କ ଦେହାନ୍ତ ହୋଇଥିଲା। ତେଣୁ ଶୁଦ୍ଧିକ୍ରିୟାରେ ଯୋଗଦେବା ପାଇଁ ଶାଶୁ ଘରକୁ ଆସିଥିଲେ ସରିତା। ହେଲେ ଘରେ ପ୍ରବେଶ କରିବାକୁ ତାଙ୍କୁ ଅନୁମତି ମିଳି ନ ଥିଲା ବୋଲି ସେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ତାଙ୍କ ଶାଶୁଘର ଲୋକଙ୍କ କହିବା ଅନୁଯାୟୀ, ମାମଲା ବିଚାରାଧୀନ ଥିବାବେଳେ ଅଧିକ ଟଙ୍କା ଦାବି କରି ମହିଳା ଜଣକ ଏଭଳି ପ୍ରହସନ କରୁଛନ୍ତି। ସୋମବାର ତାଙ୍କ ଶ୍ୱଶୁରଙ୍କ ଦେହାନ୍ତ ହୋଇଛି, ମଙ୍ଗଳବାର କସା ଖିଆ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ସେ ଜାଣିଶୁଣି ସମସ୍ୟା ସୃଷ୍ଟି କରିବା ପାଇଁ ଏଭଳି କରୁଛନ୍ତି।

Dharitri – Odisha’s No.1 Odia Daily

Share