ସ୍କୁଟିରେ ଯାଉଥିଲେ ମହିଳା, ସୁନାଚେନ୍‌ ଝାମ୍ପିନେଲେ ଦୁର୍ବୃତ୍ତ

କର୍ଲାମୁଣ୍ଡା,୩ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଫାଣ୍ଡି ଅନ୍ତର୍ଗତ ଅବୁଜବାହାଲ-ବଡଡୁଙ୍ଗୁରୀଗୁଡା ରାସ୍ତାର ଭାଲୁଡୁଙ୍ଗୁରୀ ନିକଟରେ ଶନିବାର ଅପରାହ୍ନରେ ଜଣେ ମହିଳାଙ୍କ ଠାରୁ ସୁନାଚେନ୍‌ ଲକେଟ ଲୁଟ୍‌ ହୋଇଥିବା ରିଷିଡ଼ା ଫାଣ୍ଡିରେ ଅଭିଯୋଗ ହୋଇଛି।

ସୂଚନାନୁଯାୟୀ, ଉକ୍ତ ମହିଳା ଜଣକ ନିଜ ଦୁଇ ସନ୍ତାନ ଓ ପଡ଼ୋଶୀ ଜଣକ ସହ ତୁଷୁରାରୁ ଏକ ସ୍କୁଟି ଯୋଗେ ନିଜ ବାପଘର ବଡ଼ଡୁଙ୍ଗୁରୀଗୁଡ଼ାକୁ ଆସୁଥିବା ବେଳେ ଏକ ବାଇକ୍‌ରେ ପଛପଟୁ ତିନିଜଣ ଯୁବକ ଦ୍ରୁତଗତିରେ ଆସି ସେମାନଙ୍କୁ ଠେଲି ଦେଇଥିଲେ। ସେମାନେ ଭାରସାମ୍ୟ ହରାଇ ପଡ଼ିଗଲା ପରେ ମହିଳା ଜଣକ ବେକରେ ପିନ୍ଧିଥିବା ସୁନାଚେନଲକେଟକୁ ସେମାନେ ଝିଙ୍କିନେଇ ସାମ୍ନା ଆଡ଼କୁ ପଳେଇ ଯାଇଥିଲେ। ସେମାନେ ଲୁହାରଡ୍‌ ଓ ମାରଣାସ୍ତ୍ର ଧରି ଭୟଭୀତ ମଧ୍ୟ କରିଥିବା ଏତଲାରେ ଦର୍ଶାଯାଇଛି । ଖବର ପାଇ ମ.ରାମପୁର ଥାନାଧିକାରୀ ସଂଯୁକ୍ତା ପଧାନ, କର୍ଲାମୁଣ୍ଡା ଫାଣ୍ଡିଧିକାରୀ ନେହେରୁଲାଲ ଶବର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଚୋରି ହୋଇଥିବା ସୁନାର ମୂଲ୍ୟ ଦେଢ଼ ଲକ୍ଷରୁ ଅଧିକ ହେବ ବୋଲି ଜଣାଯାଇଛି।

Dharitri – Odisha’s No.1 Odia Daily

Share