ମହିଳାଙ୍କୁ ଫସାଇ ଏକାଧିକ ଥର ବଳାତ୍କାର, ଅନ୍ତରଙ୍ଗ ମୁହୁର୍ତ୍ତ ଫଟୋ ଭିଡିଓ ଭାଇରାଲ: ଅବସରପ୍ରାପ୍ତ ସାମରିକ କର୍ମଚାରୀ ଗିରଫ

ଦିଗପହଣ୍ଡି,୧|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ  ଅଧୀନ ଏକ ଗାଁର ଜଣେ ବିବାହିତା ମହିଳାଙ୍କୁ ପ୍ରେମଜାଲରେ ଫସାଇ ଏକାଧିକ ଥର ବଳାତ୍କାର କରିବା ସହ ତାଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର  ଫଟୋ ଭିଡିଓ ଭାଇରାଲ କରିଥିବା ଅଭିଯୋଗରେ ପୋଲିସ ଜଣେ ଅବସରପ୍ରାପ୍ତ ସାମରିକ କର୍ମଚାରୀଙ୍କୁ ଗିରଫ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମର ଅବସରପ୍ରାପ୍ତ ସାମରିକ କର୍ମଚାରୀ ସରୋଜ କୁମାର ରାଉଳ(୫୬)। କେ.ନୂଆଗାଁ ଥାନା ମାମଲା ନଂ.୧୯୮/୨୬ ବିଏନଏସ ର ଦଫା -୭୪/୭୭/୭୮/୭୯/୩୫୧(୨)/୬୪(୨)(ଏମ)/୩୦୮/ଆଇ.ଟି ଆକ୍ଟ ର ୬୬(ଇ)/୬୭(ଏ) ଅନୁଯାୟୀ ଅଭିଯୁକ୍ତଙ୍କୁ ମଙ୍ଗଳବାର ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଛି। ଗତ ଏପ୍ରିଲ ୧୦ ତାରିଖରେ ମହିଳାଙ୍କୁ ତାଙ୍କ ସ୍ଵାମୀ ଏକ ସ୍ମାର୍ଟ ଫୋନ ଦେଇଥିଲେ। କିଛିଦିନ ପରେ ଅଭିଯୁକ୍ତ ସରୋଜ ତାଙ୍କ ଫୋନକୁ ବାରମ୍ବାର ଫୋନ କରିବା ସହ ମେସେଞ୍ଜର ଓ ହ୍ୱାଟ୍ସଆପରେ ଚାଟିଂ କରି ତାଙ୍କ ସହ ବନ୍ଧୁତା ବଢ଼ାଇବା ସହ ବିଭିନ୍ନ ପ୍ରଲୋଭନ ଦେଖାଇ ଆକୃଷ୍ଟ କରିଥିଲେ। ମହିଳା ଜଣକ ଅଭିଯୁକ୍ତଙ୍କ ପ୍ରଲୋଭନକୁ ପ୍ରତ୍ୟାଖାନ କରିଥିଲେ । ଘରେ ସ୍ଵାମୀଙ୍କ ଅନୁପସ୍ଥିତିରେ ଅଭିଯୁକ୍ତ ସରୋଜ ମହିଳାଙ୍କ ଘରକୁ ଆସି ତାଙ୍କୁ ଏକାଧିକ ଥର ହଇରାଣ ହରକତ କରିଥିଲେ। ଅଭିଯୁକ୍ତ ତାଙ୍କୁ ଏକୁଟିଆ ବ୍ରହ୍ମପୁର ଆସିବାକୁ ଅନୁରୋଧ କରିଥିଲେ। ମହିଳା ଜଣକ ସ୍ଵାମୀଙ୍କ ସହ ବ୍ରହ୍ମପୁର ଯିବି ବୋଲି କହିଥିଲେ। ଗତ ଜୁଲାଇ ୧ରେ ସରୋଜ ବ୍ରହ୍ମପୁର ବଡବଜାରରେ ମହିଳାଙ୍କୁ ସାକ୍ଷାତ କରି ଏକ ଶାଢ଼ୀ,କିଛି ପ୍ରସାଧନ ସାମଗ୍ରୀ ସହ ୨ ହଜାର ଟଙ୍କା ଦେବା ସହ ମହିଳାଙ୍କ ମୋବାଇଲକୁ କିଛି ନଗ୍ନ ଫଟୋ ଓ ଭିଡ଼ିଓ ପଠାଇଥିଲେ। ମହିଳାଙ୍କୁ ତାଙ୍କ ନଗ୍ନ ଫଟୋ ଓ ଭିଡ଼ିଓ ପଠାଇବାକୁ ମଧ୍ୟ ଅନୁରୋଧ କରିଥିଲେ।ମହିଳା ଜଣକ ତାଙ୍କ କଥାରେ ବଶବର୍ତ୍ତୀ ହୋଇ ଫଟୋ ଭିଡିଓ ପଠାଇଥିଲେ। କିଛିଦିନ ପରେ ସରୋଜଙ୍କ ଘରେ କେହି ନଥିବା ବେଳେ ମହିଳାଙ୍କୁ ତାଙ୍କ ଘରକୁ ଡାକିଥିଲେ। ମହିଳା ଜଣକ ତାଙ୍କ ଘରେ ପହଞ୍ଚିବା ପରେ  ସରୋଜ ତାଙ୍କୁ ଘରେ ବଳାତ୍କାର କରିବା ସହ ଅନ୍ତରଙ୍ଗ ମୁହୂର୍ତ୍ତର ଆପତ୍ତିଜନକ ଫଟୋ ଭିଡ଼ିଓ ଉଠାଇ  ସ୍ବାମୀଙ୍କୁ ସବୁଦିନ ପାଇଁ ଛାଡ଼ିଦେବାକୁ ମହିଳାଙ୍କୁ ପ୍ରବର୍ତ୍ତାଇଥିଲେ। ମହିଳା ଜଣକ ମନା କରିବାରୁ ସେ ତାଙ୍କ ପାଖରେ ଥିବା ଫଟୋ ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ଭାଇରାଲ କରିଦେବାର ଭୟ ଦେଖାଇ ବ୍ଲାକମେଲିଂ କରି ମହିଳାଙ୍କ ଅନିଚ୍ଛା ସତ୍ତ୍ବେ ବିଭିନ୍ନ ଜାଗାକୁ ଡାକି ନେଇ ଏକାଧିକ ଥର ବଳାତ୍କାର କରିଥିଲେ। ସ୍ତ୍ରୀଙ୍କ ସହ ଅଭିଯୁକ୍ତଙ୍କ ଅବୈଧ ସମ୍ପର୍କ ଜାଣିବା ପରେ ସ୍ବାମୀ ତାଙ୍କୁ ଘରୁ ତଡ଼ି ଦେଇଥିଲେ। ମହିଳା ଜଣକ ନିରୁପାୟ ହୋଇ ବାପ ଘରେ ଆଶ୍ରୟ ନେଇଥିଲେ। ଅଭିଯୁକ୍ତ ତାଙ୍କୁ ଫୋନ କରି ବାପଘରକୁ ଆସି ତାଙ୍କୁ ନେଇଯିବି ବୋଲି କହିଥିଲେ। ମହିଳା ଜଣକ ଆପତ୍ତି କରିବାରୁ ତାଙ୍କୁ ଓ ତାଙ୍କ ସ୍ଵାମୀଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ।

ପରେ ଗତ ଅଗଷ୍ଟ ୧୯ ତାରିଖରେ ମହିଳାଙ୍କ ସ୍ବାମୀ ଓ ସମ୍ପର୍କୀୟ ଭାଇଙ୍କ ମୋବାଇଲକୁ ତାଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭିଡିଓ ଗୁଡ଼ିକୁ ଅଭିଯୁକ୍ତ ପଠାଇଥିଲେ। ଗତ ସୋମବାର ପୀଡ଼ିତା କେ.ନୂଆଗାଁ ଥାନାରେ ପହଞ୍ଚି ଅଭିଯୁକ୍ତଙ୍କ ବିରୋଧରେ ଏତଲା ଦେବାପରେ ଭାରପ୍ରାପ୍ତ ଆଇଆଇସି ସୌମ୍ୟ ରଞ୍ଜନ ଜାଲି ମକଦ୍ଦମା ରୁଜୁ କରିଥିଲେ। ଦିଗପହଣ୍ଡି ଥାନାର ମହିଳା ଏସ.ଆଇ ସୋଫିଆ ମିଶ୍ର   ପୀଡ଼ିତାଙ୍କ ବୟାନ ରେକର୍ଡ କରିବା ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ତାଙ୍କ ଡାକ୍ତରୀ ମାଇନା କରାଯାଇଥିଲା। ପରେ ସନ୍ଧ୍ୟା ସାଢ଼େ ୫ ଟାରେ ତଦନ୍ତକାରୀ ଅଧିକାରୀ ଭାରପ୍ରାପ୍ତ ଆଇଆଇସି ସଦଳବଳେ ଚଢାଉ କରି ଅଭିଯୁକ୍ତଙ୍କୁ ଥାନାକୁ ଉଠାଇ ଆଣି ପଚରା ଉଚୁରା କରିଥିଲେ। ଆବଶ୍ୟକ ପ୍ରମାଣ ମିଳିବାରୁ  ରାତି ପ୍ରାୟ ୮ଟାରେ ତାଙ୍କୁ ଗିରଫ କରାଯାଇଥିଲା। ତାଙ୍କ ନିକଟରୁ ମୋବାଇଲ ଫୋନ୍ ଜବତ କରିବା ସହ  ପୀଡ଼ିତାଙ୍କ ସମ୍ପର୍କୀୟ ଭାଇଙ୍କ ଫୋନକୁ ଅଭିଯୁକ୍ତ ପଠାଇଥିବା ୮ଟି ଆପତ୍ତି ଜନକ ଫଟୋର ସ୍କିନସଟ ସହ ମୋବାଇଲକୁ ତଦନ୍ତକାରୀ ଅଧିକାରୀ ଜବତ କରିଛନ୍ତି। ମଙ୍ଗଳବାର ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରାଯିବା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି।

Dharitri – Odisha’s No.1 Odia Daily

Share