ଚୋରା ମଦ ବିକ୍ରିକୁ ବିରୋଧ କରି ତାତିଲେ ମହିଳା, ୨ ଘଣ୍ଟା ଧରି ପୋଲିସ ନାକେଦମ

ବନ୍ତ, ୩୦।୮ (ହରି ନାରାୟଣ ମହାନ୍ତି/ କିଶୋର କୁମାର ସେଠୀ): ଶନିବାର ରାତିରେ ଭଦ୍ରକ ଜିଲା ବନ୍ତ ଥାନା ନୀଳୋକ ପଞ୍ଚାୟତ ଅଧୀନ ବେଗନା (ବୁଡ଼ଗଢ଼ିଆ) ଗ୍ରାମରେ ଚୋରା ମଦ ବିକ୍ରିକୁ ବିରୋଧ କରି ଶତାଧିକ ମହିଳା ରାସ୍ତାକୁ ଓହ୍ଲାଇଥିଲେ। ଶତାଧିକ ମହିଳା ଓ ପୁରୁଷ ପ୍ରାୟ ୨ ଘଣ୍ଟା ଧରି ନୀଳୋକ-ଛତାବର ରାସ୍ତା ଅବରୋଧ କରିଥିଲେ।

ଖବର ପାଇ ବନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିଥିଲା। ଚୋରା ମଦ ବିକ୍ରି ବିରୋଧରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପୋଲିସ ପ୍ରତିଶ୍ରୁତି ଦେବା ପରେ ଲୋକେ ରାସ୍ତାରୁ ହଟିଥିଲେ।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଉକ୍ତ ଗ୍ରାମରେ ଦୀର୍ଘ ୩ ବର୍ଷ ଧରି ଚୋରା ଦେଶୀ ଓ ବିଦେଶୀ ମଦ ବିକ୍ରି ହୋଇଆସୁଛି। ଫଳରେ ଗ୍ରାମବାସୀ ଶାନ୍ତିରେ ରହିପାରୁନାହାନ୍ତି। ମଦ୍ୟପମାନେ ରାସ୍ତାରେ ଅଶ୍ରାବ୍ୟ ଭାଷାରେ ଲୋକଙ୍କୁ ଗାଳିଗୁଲଜ କରୁଥିବା ଅଭିଯୋଗ ହୋଇଛି। ଏପରିକି ପିଲାମାନେ ବିଦ୍ୟାଳୟକୁ ଯିବାରେ ଅସୁବିଧା ଭୋଗୁଥିବା ବେଳେ ମହିଳାମାନେ ସନ୍ଧ୍ୟା ସମୟରେ ଠାକୁରାଣୀଙ୍କ ନିକଟକୁ ଯାଇପାରୁନାହାନ୍ତି। ଘରର ସ୍ୱାମୀ ଓ ପୁଅମାନେ ମୂଲମଜୁରି କରି ଯାହା ରୋଜଗାର କରୁଛନ୍ତି, ତାହା ମଦ ପିଇବାରେ ଖର୍ଚ୍ଚ କରିଦେଉଛନ୍ତି।

ଗ୍ରାମର ମିନତୀ ଜେନା ଚୋରା ମଦ ବ୍ୟବସାୟକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ସରକାରଙ୍କ ନିକଟରେ ଦାବି କରିଥିଲେ। ସେହିପରି ଝରଣା ବେହେରା କହିଥିଲେ ଯେ, ମଦ୍ୟପମାନେ ରାସ୍ତାରେ ଉଲଗ୍ନ ହୋଇ ନାଚୁଥିବା ଅଭିଯୋଗ ରହିଛି। ଏଥିଯୋଗୁ ଝିଅ ଓ ବୋହୂମାନେ ଘରୁ ବାହାରିବାକୁ ଭୟ କରୁଛନ୍ତି। ରାଜ୍ୟ ସରକାର ମଦ ବିକ୍ରିକୁ ସମ୍ପୂର୍ଣ୍ଣ ବନ୍ଦ କଲେ ମହିଳାମାନେ ଶାନ୍ତିରେ ରହିପାରିବେ ବୋଲି ସେ କହିଥିଲେ।

ଅପରପକ୍ଷେ, ଉକ୍ତ ଗ୍ରାମରେ ଦୀର୍ଘ ୩ ବର୍ଷ ଧରି ଚୋରା ମଦ ବିକ୍ରି ହେଉଥିବା ନେଇ ଗ୍ରାମବାସୀମାନେ ବନ୍ତ ପୋଲିସ ନିକଟରେ ବାରମ୍ବାର ଅଭିଯୋଗ କରିଆସୁଥିବା କହିଛନ୍ତି। ଏନେଇ ମମତା ଶାସମଲ, ଲିଜାରାଣୀ ଓଝା, ରଜନୀ ଜେନା, ପୁଷ୍ପଲତା ଜେନା, ମନୋରମା ସେଠୀ, ମଞ୍ଜୁଲତା ବାରିକ, ଭାରତୀ ଜେନା, ଶ୍ରୀକାନ୍ତ ସେଠୀ, ରବୀନ୍ଦ୍ର ସେଠୀ, ଉପେନ୍ଦ୍ର ଜେନା, ଅମୂଲ୍ୟ ଜେନା, ରାଜୀବ ବାରିକ, ସନାତନ ବାରିକ ଓ ସନ୍ତୋଷ କୁମାର ଧଳଙ୍କ ସମେତ ଶତାଧିକ ଗ୍ରାମବାସୀ ଗତ ୧ ନଭେମ୍ବର ୨୦୨୫ରେ ବନ୍ତ ଥାନାରେ ଅଭିଯୋଗ କରିଥିଲେ।

ମାତ୍ର ଏପର୍ଯ୍ୟନ୍ତ କୌଣସି ସୁଫଳ ନମିଳିବାରୁ ଶେଷରେ ଗ୍ରାମବାସୀ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଥିବା କହିଛନ୍ତି। ତେବେ ପୋଲିସର ପ୍ରତିଶ୍ରୁତି ପରେ ରାସ୍ତା ଅବରୋଧ ହଟିଥିବା ଜଣାପଡ଼ିଛି।

Dharitri – Odisha’s No.1 Odia Daily

Share