ଦିଗପହଣ୍ଡି, ୧୧।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ବାବୁଲିବନ୍ଧ ଗ୍ରାମରେ ଜଣେ ମହିଳାଙ୍କୁ ଅସଦାଚରଣ ଓ ଆକ୍ରମଣ କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ସେହି ଗ୍ରାମର ସହଦେବ ବଢ଼େଇ (୨୪)। ପାଟପୁର ଥାନା ପୋଡ଼ାମାରି ଫାଣ୍ଡି ଅଧିକାରୀ ଏସ.ଆଇ ପ୍ରଭାତ କୁମାର ବାଲିକାନା ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଥାନା ମାମଲା ନଂ ୧୯୪/୨୬ ଅନୁଯାୟୀ କୋର୍ଟରେ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଦିଗପହଣ୍ଡି ସବ୍ ଜେଲ ହାଜତକୁ ପଠାଇ ଦିଆଯାଇଛି।
ସୂଚନା ଅନୁଯାୟୀ, ଗତ ଶୁକ୍ରବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ଛୋଟ ପିଲାଙ୍କ ମଧ୍ୟରେ ହୋଇଥିବା ଝଗଡ଼ାକୁ କେନ୍ଦ୍ର କରି ଏହି ଘଟଣା ଘଟିଥିଲା। ଅଭିଯୁକ୍ତ ସହଦେବ ମହିଳାଙ୍କ ଘର ପାଖକୁ ଯାଇ ସେଠାରେ ତାଙ୍କୁ ଟଣାଓଟରା କରିବା ସହ ନିର୍ଦ୍ଧୁମ ମାଡ଼ ମାରିଥିଲେ। ଏହାସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ। ଏ ନେଇ ପୀଡ଼ିତା ମହିଳା ଜଣକ ପାଟପୁର ଥାନାରେ ଲିଖିତ ଏତଲା ଦେଇଥିଲେ। ଅଭିଯୋଗ ପାଇବା ପରେ ପାଟପୁର ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରା ଘଟଣାର ପ୍ରାଥମିକ ଯାଞ୍ଚ କରି ମାମଲା ରୁଜୁ କରିଥିଲେ ଏବଂ ଅଧିକ ତଦନ୍ତ ପାଇଁ ପୋଡ଼ାମାରି ଫାଣ୍ଡି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପୋଲିସ ଘଟଣାର ତଦନ୍ତ କରି ଶେଷରେ ଅଭିଯୁକ୍ତକୁ ଗିରଫ କରି ଜେଲ ପଠାଇଛି।