ସ୍ତ୍ରୀ ହତ୍ୟାକାରୀଙ୍କୁ ଆଜୀବନ ଜେଲ

ବ୍ରହ୍ମପୁର,୯।୧୦(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଦୌରାଜଜ୍‌ ରୂପଶ୍ରୀ ଚୌଧୁରୀ ସୋମବାର ଏକ ହତ୍ୟା ମାମଲାର ରାୟ ପ୍ରକାଶ କରିଛନ୍ତି। ଉପଯୁକ୍ତ ସାକ୍ଷ୍ୟ ଏବଂ ପ୍ରମାଣକୁ ଭିତ୍ତିକରି ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଭିଯୁକ୍ତ ଜଣକ ଜରଡ଼ା ଥାନା ଅଧୀନ ବାଇସିଙ୍ଗି ଗ୍ରାମର ମନୋଜ ଦଳାଇ(୨୮)।

ମାମଲାର ବିବରଣୀରୁ ପ୍ରକାଶ ଯେ, ୨୦୧୪ରେ ମନୋଜ ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ। ପରେ ସେମାନେ ବ୍ରହ୍ମପୁର ଚାଲିଆସି ଏକ ଭଡ଼ା ଘରେ ରହୁଥିଲେ । ୨୦୧୯ ଅଗଷ୍ଟ ୧୫ରେ ମନୋଜ ପଡ଼ୋଶୀ ଘର ଲୋକଙ୍କୁ ମଞ୍ଜୁ ଗୁରୁତର ଥିବା କହି ଏମ୍‌କେସିଜିରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ମେଡିକାଲରେ ପହଞ୍ଚି ମହିଳାଙ୍କ ମୃତଦେହ ଜବତ କରି ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ପୋଲିସ ସ୍ବାମୀ ମନୋଜଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମାମଲାର ବିଚାର ବେଳେ ୨୧ଜଣ ସାକ୍ଷୀଙ୍କ ବୟାନ ଏବଂ ଉପଯୁକ୍ତ ପ୍ରମାଣକୁ ଆଧାର କରି ବିଚାରପତି ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ତ୍ରିଲୋଚନ ପରିଡା ମାମଲା ପରିଚାଳନା କରିଥିଲେ।