ହାଇଓ୍ବା ଧକ୍କାରେ ମହିଳାଙ୍କ ଜୀବନ ଗଲା, ସ୍ବାମୀ ଗୁରୁତର

ଭଦ୍ରକ ଅଫିସ,୭।୨: ଭଦ୍ରକ-ଚାନ୍ଦବାଲି ରାଜପଥ ସରକାରନଗର ନିକଟରେ ରବିବାର ଏକ ହାଇଓ୍ବା ଧକ୍କା ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ବାମୀ ଗୁରୁତର ଆହତ ହୋଇଛନ୍ତି। ଏ ନେଇ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତକ ହେଲେ ବାସୁଦେବପୁରର ଅଭିଲିପ୍ସା ବାରିକ। ଗୁରୁତର ସ୍ବାମୀଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ଅଭିଲିପ୍ସା ଓ ତାଙ୍କର ସ୍ବାମୀ ମନୋଜ ଦାସ ଏକ ସ୍କୁଟି ଯୋଗେ ଘରକୁ ଫେରୁଥିଲେ। ହେଲେ ଦ୍ରୁତଗତିରେ ଆସୁଥିବା ଏକ ହାଇୱା ସରକାରନଗର ନିକଟରେ ସ୍କୁଟିକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଅଭିଲିପ୍ସାଙ୍କ ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥକୁ ଅବରୋଧ କରିଥିଲେ। ଫଳରେ ଉଭୟପଟୁ ଗାଡ଼ି ଚଳାଚଳ ଏକ ଘଣ୍ଟା ପାଇଁ ବାଧାପ୍ରାପ୍ତ ହୋଇଥିଲା। ପୁରୁଣାବଜାର ଥାନା ପୋଲିସ ଓ ଭଦ୍ରକ ଏସ୍‌ଡିପିଓ ସାର୍ଥକ ରାୟ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ପରେ ରାସ୍ତାରୋକୋ ହଟିଥିଲା। ପୋଲିସ ହାଇୱାକୁ ଜବତ କରି ଡ୍ରାଇଭରଙ୍କୁ ଗିରଫ କରିଛି। ପୁରୁଣାବଜାର ଥାନାରେ ଏକ ମାମଲା (ନଂ.୨୭/୨୧) ରୁଜୁ ହୋଇଛି।