କୁପନ ଅଫର ଅଛି କହି ମହିଳାଙ୍କ ଆକାଉଣ୍ଟରୁ ୬୦ହଜାର ଠକେଇ

କଟକ ରୋଡ,୨୪ା୬(ଡି.ଏନ୍‌.ଏ): ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଜଣେ ମହିଳା ସାଇବର ଠକେଇର ଶିକାର ହୋଇ ୬୦ ହଜାର ଟଙ୍କା ହରାଇଥିବା ବୁଧବାର ଅଭିଯୋଗ ହୋଇଛି। ସୂଚନା ମୁତାବକ, ଏହି ଥାନା ଅଧୀନ ଜୟଦୁର୍ଗା ନଗରରେ ରହୁଥିବା ମଧୁମିତା ପଟ୍ଟନାୟକଙ୍କ ନିକଟକୁ ମଙ୍ଗଳବାର ଏକ ଫୋନ ଆସିଥିଲା। କଲ୍‌ କରିଥିବା ବ୍ୟକ୍ତିଜଣକ କ୍ରେଡିଟ କାର୍ଡ ସମ୍ବନ୍ଧରେ ମଧୁମିତାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିବା ସହ ଏକ କୁପନ ଅଫର ଥିବା କହିଥିଲେ। ଏଥିରେ ମଧୁମିତା ରାଜି ହୋଇଯିବାରୁ ତାଙ୍କ ମୋବାଇଲକୁ ଏକ ଓଟିପି ନଂ ଆସିବା ପରେ କାର୍ଡ ଚାଲୁ ରଖିବା ପାଇଁ କାର୍ଡ ନମ୍ବର, ଉକ୍ତ ଓଟିପି ମାଗିଥିଲେ। ସମସ୍ତ ତଥ୍ୟ ମହିଳା ଦେବା ପରେ କିଛି ସମୟ ପରେ ହଠାତ ତାଙ୍କ ନମ୍ବରକୁ ୬୦ହଜାର ଟଙ୍କା କଟିଥିବା ମେସେଜ ଆସିଥିଲା। ପରେ ମଧୁମିତା ଉକ୍ତ ନମ୍ବରରେ ଯୋଗାଯୋଗ କରିଥିଲେ ମଧ୍ୟ ସୁଇଚ୍‌ ଅଫ କହିଥିଲା। ଠକେର ଶିକାର ହୋଇଥିବା ଜାଣି ବୁଧବାର ମଧୁମିତା ଥାନାର ଦ୍ୱାରସ୍ଥ ହୋଇଥିଲେ। ପୋଲିସ ପ୍ରାଥମିକ ଭାବେ ତଦନ୍ତ ଆରମ୍ଭ କରିଛି।