ଜମିରେ କରୁଥିଲେ କାମ, ବଜ୍ରପାତରେ ଚାଲିଗଲା ମହିଳାଙ୍କ ଜୀବନ

ଦିଗପହଣ୍ଡି,୨୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମାଗୁର ଆମ୍ବଠା  ଗ୍ରାମ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଚାଷ ଜମିରେ କାମ କରୁଥିବା ବେଳେ ବୁଧବାର ଅପରାହ୍ନ ପ୍ରାୟ ସାଢେ ୪ ଟାରେ ବଜ୍ରପାତ ଯୋଗୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ଏରେନଡ୍ରା (Erendraa) ପଞ୍ଚାୟତ ଡ଼ି.ଆମ୍ବଠା ଗ୍ରାମର ଧିରୁ ନାହାକଙ୍କ ସ୍ତ୍ରୀ ନମିତା ନାହାକ(୪୦) ।

ଆଖପାଖ ଜମିରେ କାମକରୁଥିବା କୃଷି ଶ୍ରମିକମାନେ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ସାହାସପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥାରେ ସୁଧାର ନଆସିବାରୁ ପରିବାର ଲୋକେ ତାଙ୍କୁ ନିକଟସ୍ଥ ଆଡ଼ପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଉପସ୍ଥିତ ସ୍ୱାସ୍ଥ୍ୟକେନ୍ଦ୍ର ଚିକିତ୍ସାଧିକାରୀ ଡାକ୍ତର ବାହନ ଦାସ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ପାଟପୁର ଥାନା ପୋଲିସ ଟିମ୍ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଛନ୍ତି ।

 

Dharitri – Odisha’s No.1 Odia Daily

Share