ବାରିପଦା,୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗରିପୋଷି ଥାନା ଅଧିନ ଭୁଲନ୍ପୁରରେ ଅଭାବନୀୟ ଘଟଣା ଘଟିଯାଇଛି । ଚାଳଘର ଭୁଶୁଡ଼ି ଜଣେ ମହିଳାଙ୍କ ମୃତ୍ଯୁ ହୋଇଛି । ମୃତକ ମହିଳା ଜଣକ ହେଲେ ଲକ୍ଷ୍ମୀ ସିଂ(୫୫) । ପରିବାର ଲୋକେ ସଙ୍ଗେ ସଙ୍ଗେ ବାଙ୍ଗରିପୋଷି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଏ ସଂକ୍ରାନ୍ତରେ ପୋଲିସ ଏକ ଅପମୃତ୍ଯୁ ମାମଲା ରୁଜୁ କରି ଶବ ବ୍ଯବଚ୍ଚେଦ ନିମନ୍ତେ ବାରିପଦା ମୁଖ୍ଯ ଚିକିତ୍ସାଳୟକୁ ପଠାଇଛି ।
ସୂଚନାଯୋଗ୍ଯ, ସୋମବାର ଜିଲାର ବାଙ୍ଗରିପୋଷି ଅଂଚଳରେ ପ୍ରବଳ ବର୍ଷା ହୋଇଥିଲା । ଏହି ବର୍ଷାରେ ଚାଳ ଘରଟି ଭୁଶୁଡ଼ି ପଡିବାରୁ ଲକ୍ଷ୍ମୀଙ୍କ ମୁଣ୍ଡରେ କାଠ ବାଡେଇ ହୋଇଥିଲା । ଫଳରେ ସେ ଗୁରୁତର ହୋଇପଡିଥିଲେ । ତେବେ ତାଙ୍କ ମୃତ୍ଯୁକୁ ନେଇ ପରିବାର ଲୋକେ ଭାଙ୍ଗି ପଡିଛନ୍ତି । ପୀଡିତ ପରିବାରକୁ ସରକାରୀ ସହାୟତା ଯୋଗାଇବାକୁ ସାଧାରଣରେ ଦାବି ହୋଇଛି ।