ଦଶାହ କାର୍ଯ୍ୟରେ ଯୋଗଦେବାକୁ ଯାଉଥିଲେ ମହିଳା, ନଦୀରେ ବୁଡ଼ିଗଲା ଡଙ୍ଗା, ଚାଲିଗଲା ଜୀବନ

ମାଲକାନଗିରି,୨୧ା୧୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ରାଣିଗୁଡ଼ା ଘାଟ ନିକଟ ସାବେରୀ ନଦୀରେ ଏକ ଦେଶୀ ଡଙ୍ଗା। ବୁଡ଼ି ଯିବାର ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।

ତଥ୍ୟ ଅନୁଯାୟୀ ରାଣିଗୁଡ଼ା ଗ୍ରାମର ମଣିମା ଭୂମିକା (୩୮) ନାମକ ମହିଳାଙ୍କ ସହ ଆଉ ଦୁଇଜଣ ମହିଳା ନିକଟସ୍ଥ ମାନ୍ଦାପାଲ୍ଲୀ ଗ୍ରାମରେ ନିଜର ସମ୍ପର୍କୀୟଙ୍କ ଦଶାହ କାର୍ଯ୍ୟରେ ଯୋଗ ଦେବା ନିମନ୍ତେ ଦେଶୀ ଏକ ଡଙ୍ଗା ସାହାଯ୍ୟରେ ସାବେରୀ ନଦୀ ପାର ହେଉଥିଲେ। ତେବେ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡ଼ି ଯାଇଥିବା ବେଳେ ଡଙ୍ଗାରେ ଥିବା ତିନିଜଣ ମହିଳାଙ୍କ ମଧ୍ୟରୁ ଦୁଇଜଣ ମହିଳା ପହଁରି ପହଁରି ରାଣିଘାଟକୁ ପହଞ୍ଚିଥିବାବେଳେ ମଣିମା ନିଖୋଜ ହୋଇଥିଲେ।

ଏ ସମ୍ପର୍କରେ ଗ୍ରାମବାସୀ ଖବର ପାଇ ଘଟଣା ସ୍ଥଳକୁ ପହଞ୍ଚି ବହୁ ଖୋଜାଖୋଜି କରିବା ସହ ମାଥିଲି ଅଗ୍ନିଶମ ବିଭାଗ ଖୋଜାଖୋଜି ଆରମ୍ଭ କରିଥିଲେ। ଦୀର୍ଘ ୫ ଘଣ୍ଟା ଖୋଜାଖୋଜି କରିବା ପରେ ନଦୀ ନିକଟରେ କୁଳରେ ଉକ୍ତ ମଣିମାଙ୍କ ମୃତଦେହ ମିଳିଥିଲା। ମାଥିଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରିବେ ବୋଲି ସୂଚନା ମିଳିଛ। ଏ ସମ୍ପର୍କରେ ଏକ ମାମଲା ରୁଜୁ କରି ଏହାର ତଦନ୍ତ ଜାରି ରହିଥିବା ମାଥିଲି ପୋଲିସ ସୂତ୍ରରୁ ପ୍ରକାଶ।

Dharitri – Odisha’s No.1 Odia Daily

Share