ପୁଅର ଚାକିରି ପାଇଁ ଅର୍ଥ ହରାଇ ମହିଳାଙ୍କ ଆତ୍ମହତ୍ୟା

ବିଞ୍ଝାରପୁର,୧୨ା୧୨(ଡି.ଏନ.ଏ.): ପୁଅର ଚାକିରି କରାଇ ଦେବା ପାଇଁ ଜଣେ ଯୁବକଙ୍କୁ ଟଙ୍କା ଦେଇଥିଲେ ମା’। ହେଲେ ପୁଅର ଚାକିରି ହେଲାନି, ଟଙ୍କା ବି ଫେରି ପାଇଲେନି। ତେଣୁ ମାନସିକ ଚାପରେ ରହି ମା’ ଗୁରୁବାର ରାତିରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଯାଜପୁର ଜିଲା ବିଞ୍ଝାରପୁର ଥାନା ଚନ୍ଦ୍ରମୁଁ ପଞ୍ଚାୟତ ବାଣପୁର ଗ୍ରାମରେ ଏହି ଘଟଣା ଘଟିଛି। ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ, ଚନ୍ଦ୍ରମୁଁ ଗ୍ରାମର ସୁବାସ ଧଳଙ୍କ ସ୍ତ୍ରୀ ମାଳତୀଙ୍କଠାରୁ ବାଣପୁର ଗ୍ରାମର ପ୍ରକାଶ କୁମାର ପୁହାଣ ଟଙ୍କା ଓ ସୁନାଗହଣା ନେଇଥିଲେ। ବହୁଦିନ ପର୍ଯ୍ୟନ୍ତ ପୁଅର ଚାକିରି କରାଇ ନ ଦେବାରୁ ମାଳତୀ ବାରମ୍ବାର ପ୍ରକାଶଙ୍କ ଘରକୁ ଯାଇ ଟଙ୍କା ଫେରସ୍ତ ମାଗିଥିଲେ। ଫଳରେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଗତ ମାସ ୨୦ ତାରିଖରେ ଗ୍ରାମବାସୀଙ୍କ ମଧ୍ୟସ୍ଥତାରେ ପ୍ରକାଶ ଏକ ଚୁକ୍ତିପତ୍ର ଲେଖି ୨୭ ତାରିଖ ମଧ୍ୟରେ ଟଙ୍କା ଦେବେ ବୋଲି ସମୟ ନେଇଥିଲେ। ତେବେ ୨୭ ତାରିଖ ପରେ ମଧ୍ୟ ପ୍ରକାଶ ଟଙ୍କା ଦେଇ ନ ଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା। ଗୁରୁବାର ସନ୍ଧ୍ୟାରେ ମାଳତୀ ଟଙ୍କା ମାଗିବା ପାଇଁ ଯାଇଥିବାବେଳେ ପ୍ରକାଶ ଗାଳିଗୁଲଜ କରିବାସହ ଟଙ୍କା ମାଗିବାକୁ ଆସିଲେ ତୁମ ପରିବାରକୁ ଜୀବନରୁ ମାରିଦେବି ବୋଲି ଧମକ ଦେଇଥିଲେ। ଏହି କଥାକୁ ନେଇ ମାଳତୀ ମାନସିକ ଚିନ୍ତାରେ ଥିଲେ। ଏପରି କି ରାତିରେ ଖାଇନଥିଲେ। ପରିବାର ଲୋକେ ସମସ୍ତେ ଶୋଇବା ପରେ ମାଳତୀ ରୋଷେଇ ଘର ପିଲରରେ ଆତ୍ମହତ୍ୟା କରିଥିବା ତାଙ୍କ ପୁଅ ଶୁଭକାନ୍ତ ଧଳ ବିଞ୍ଝାରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏସ୍‌ଆଇ କଣ୍ଡୁରୀ ଚରଣ ଦାସ ଓ ଅନାମିକା ଥାଟୋଇ ପହଞ୍ଚି ତଦନ୍ତ କରିଛନ୍ତି। ତଦନ୍ତ ବେଳେ ମାଳତୀଙ୍କଠାରୁ ଏକ ସୁଇସାଇଡ୍‌ ନୋଟ୍‌ ମିଳିଥିଲା। ଯେଉଁଥିରେ ଲେଖାଯାଇଥିଲା ଯେ, ମୋର ମୃତ୍ୟୁ ପାଇଁ ପ୍ରକାଶ ଦାୟୀ। ପୋଲିସ ତାହାକୁ ଜବତ କରି ଅଧିକ ତଦନ୍ତ ଚଳାଇବା ସହ ୩୫୫/୨୦ନମ୍ବରରେ ଏକ ମାମଲା ରୁଜୁ କରିଛି। ପ୍ରକାଶଙ୍କୁ ଥାନାରେ ଅଟକ ରଖାଯାଇ ପଚରାଉଚରା କରାଯାଉଛି।