ମାଓବାଦୀଙ୍କ ସ୍ତୁପ ଧ୍ୱଂସ କଲେ ମହିଳା କମାଣ୍ଡୋ

ମାଲକାନଗିରି, ୧୦ା୩(ଦୁର୍ଯୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦନ୍ତେୱାଡାରେ ଏକ ମାଓବାଦୀ ସ୍ତୂପକୁ ମହିଳା ଯବାନମାନେ ଧ୍ୱଂସ କରି ଦେଇଛନ୍ତି। ଛତିଶଗଡ଼ ଦନ୍ତେୱାଡାରେ ବସ୍ତର ଫାଇଟରର ମହିଳା କମାଣ୍ଡୋମାନେ ବେଚାପାଲ୍‌ ଅଞ୍ଚଳରେ ତଲାସି ଅଭିଯାନ ବେଳେ ଘଞ୍ଚ ଜଙ୍ଗଲ ମଧ୍ୟରେ ମାଓବାଦୀଙ୍କ ଏକ ବିଶାଳ ସ୍ତୂପ ଠାବ କରିଥିଲେ। ଏହି ସ୍ତୂପକୁ ମାଓବାଦୀମାନେ ତିଆରି କରିଥିଲେ। ସେମାନେ ଅନେକ ସମୟରେ ଏହି ସ୍ତୁପ ନିକଟରେ ମେଳି ଓ ପ୍ରଜାକୋର୍ଟ କରି ନିଜର ସ୍ଥିତି ଜାହିର କରୁଥିବାରୁ ମହିଳା ଯବାନ ଏହାକୁ ଭାଙ୍ଗି ଧ୍ୱଂସ କରି ଦେଇଥିଲେ। ମହିଳା ଯବାନମାନଙ୍କ ଏପରି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି। ତେବେ ମାଓବାଦୀଙ୍କ ଏହି ସ୍ତୁପକୁ ଧ୍ୱଂସ ପରେ ସମ୍ପୃକ୍ତ ଅଞ୍ଚଳରେ ତଲାସି ଅଭିଯାନକୁ ଆହୁରି ଜୋରଦାର କରାଯାଇଛି।