ଖଲ୍ଲିକୋଟ,୨୨।୬(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ମଥୁରା ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ନିଆଁରେ ପୋଡ଼ି ହୋଇ ସ୍ତ୍ରୀ, ସ୍ବାମୀ ଓ ଗୁରୁତର ଆହତ ହୋଇଥିବା ବେଳେ ଦୁହିଁଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଦୁହିଁଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା କରାଯାଇ ସେମାନଙ୍କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଦୁଇ ଗୁରୁତର ହେଲେ ମଥୁରା ଗ୍ରାମର ରମେଶ ପ୍ରଧାନ ଓ ତାଙ୍କ ସ୍ତ୍ରୀ ଅନିତା ପ୍ରଧାନ।
ହେଲେ ସୋମବାର ଭୋର ସମୟରେ ଚିକିତ୍ସାଧୀନ ଅବସ୍ଥାରେ ସ୍ତ୍ରୀ ଅନିତାଙ୍କ ମୃତ୍ୟୁ ଘଟିଥିବା ବେଳେ ରମେଶ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ଅନ୍ୟପକ୍ଷେ ଅନିତାଙ୍କ ବାପଘର ଲୋକେ ଝିଅକୁ ହତ୍ୟା କରାଯାଇଥିବା ନେଇ ଖଲ୍ଲିକୋଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପାରିବାରିକ କଳହକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ସୂଚନା ମିଳିଛି । ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।