ପାଟଣା, ୨୯/୮ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଧୀନ ମଲ୍ଲିପଶି ଭୂମିଜ ସାହିରେ ଶନିବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ କାଠ ଫାଳିଆରେ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ସେହି ସାହିର ସବିତା ଭୂମିଜ। ଏହି ଘଟଣାରେ ଅଭିଯୁକ୍ତ ସ୍ୱାମୀ ହେମନ୍ତ ଭୂମିଜଙ୍କୁ ପାଟଣା ପୋଲିସ ଗାଁରୁ କାବୁ କରି ଥାନାକୁ ନେଇ ଅଟକ ରଖିଛି। ତାଙ୍କୁ ପଚରାଉଚରା ଜାରି ରହିଛି।
ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ କୌଣସି କାରଣକୁ ନେଇ ହେମନ୍ତ ଓ ସବିତାଙ୍କ ମଧ୍ୟରେ କଳହ ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ହେମନ୍ତ କାଠ ଫାଳିଆରେ ସବିତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ସବିତାଙ୍କ ମୃତ୍ୟୁ ଘଟିଥିଲା।
ରବିବାର ସକାଳେ ଖବର ପାଇ ପାଟଣା ଥାନା ଅଧିକାରୀ କିରଣ ପ୍ରସାଦ ସାହୁ ଓ ଏଏସ୍ଆଇ ଧନେଶ୍ୱର ପାତ୍ର ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲେ। ଘଟଣାର ତଦନ୍ତ ପାଇଁ ସାଇଣ୍ଟିଫିକ୍ ଟିମ୍କୁ ଡକାଯାଇଛି। ପୋଲିସ ତଦନ୍ତ ଆରମ୍ଭ କରିବା ସହ ଘଟଣାର ବିଭିନ୍ନ ଦିଗ ଯାଞ୍ଚ କରୁଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।