ଵ୍ରହ୍ମପୁର,୩୧।୮(ସୁବାସ ଚନ୍ଦ୍ର ପାଢ଼ୀ): ୨୦୨୪ ମସିହାରେ ସଦର ଥାନା ଅନ୍ତର୍ଗତ ରୋହିଗାଁ’ରେ ନିଜ ସ୍ତ୍ରୀ’ଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରିଥିଲେ । ଜିଲା ଦୌରା ଜଜ ଅଶାନ୍ତ କୁମାର ଦାସ ଆଜି ଉକ୍ତ ମାମଲାର ଶୁଣାଣି କରିଛନ୍ତି । ଜଜ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଅଭିଯୁକ୍ତ ଜଣଙ୍କ ହେଲେ ରୋହିଗାଁ’ରେ ରାଜେନ୍ଦ୍ର ଜେନା ଓରଫ ରାଜୁ(୫୮) ।
ଘଟଣାରୁ ପ୍ରକାଶ ରାଜେନ୍ଦ୍ର ଜେନା ୨୦୨୪ ଅଗଷ୍ଟ ୨୮ ତାରିଖ ରାତିରେ ତାଙ୍କ ସ୍ତ୍ରୀ ଝୁନୁ ଜେନା ଶୋଇଥିବା ବେଳେ ଏକ ଶାବଳରେ ତାଙ୍କ ମୁଣ୍ଡ ଉପରେ ପିଟିପିଟି ହତ୍ୟା କରିଥିଲେ। ପରେ ସେ ଗାଁ’ମୁଣ୍ଡରେ ଥିବା କିଛି ଲୋକଙ୍କ ପାଖକୁ ଯାଇ ନିଜ ସ୍ତ୍ରୀ ‘ଙ୍କୁ ହତ୍ୟା କରିଥିବା କହି ଘରକୁ ନେଇ ଦେଖାଇଥିଲେ। ପରେ ମୃତ ମହିଳାଙ୍କ ଭାଇ ତ୍ରିନାଥ ସ୍ୱାଇଁ ରୋହିଗାଁ’କୁ ଆସି ଭଉଣୀ ଘରେ ପହଞ୍ଚି ଥିଲେ। ସେ ମରିଯାଇଥିବା ଦେଖି ଏନେଇ ସଦର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏନେଇ ୨୭୬/୨୪ ରେ ଏକ ହତ୍ୟା ମାମଲା ରୁଜୁ କରିଥିଲା। ତତ୍କାଳୀନ ଥାନାଧିକାରୀ ତଥା ତଦନ୍ତକାରୀ ଅଧିକାରୀ ରାମ ସୁବ୍ରମନ୍ୟମ ପ୍ରଧାନ ଅଭିଯୁକ୍ତ ରାଜେନ୍ଦ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ପରେ ତାଙ୍କୁ ଦୋଷୀ ଦର୍ଶାଇ ସେ କୋର୍ଟରେ ଚାର୍ଜସିଟ ଦାଖଲ କାରିଥିଲେ।
ଘଟଣା ପରଠାରୁ ଵ୍ରହ୍ମପୁର ଜେଲରେ ୟୁଟିପି ଭାବେ ଥିବା ରାଜେନ୍ଦ୍ର ଜେନାଙ୍କୁ ଆଜି କୋର୍ଟରେ ହାଜର କରାଯାଇଥିଲା। ଉପଯୁକ୍ତ ପ୍ରମାଣ ମିଳିଥିବାରୁ ଅଭିଯୁକ୍ତଙ୍କ ବିରୋଧରେ ଜଜ ଉପରୋକ୍ତ ରାୟ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ କ୍ୟାଡର ପିପି ବିଶ୍ୱଜିତ ବରାଳ ମକଦ୍ଦମା ପରିଚାଳନା କରିଥିଲେ।

