ଜଗନ୍ନାଥପ୍ରସାଦ,୫ା୧୧(ବିଭୁ ପ୍ରସାଦ ପଟ୍ଟନାୟକ): ଆଜିର ବୈଷୟିକ ଜ୍ଞାନକୌଶଳ(ଟେକ୍ନୋଲୋଜି) ଯୁଗରେ ଯେଉଁଠି ପାରମ୍ପରିକ ହସ୍ତଶିଳ୍ପ ହଜିଯିବାକୁ ବସିଲାଣି, ସେଭଳି ସମୟରେ ଜଣେ ୮୦ ବର୍ଷର ବୃଦ୍ଧ ନିଜର କୌଳିକ ବୃତ୍ତିକୁ ବଞ୍ଚାଇ ରଖି ସମାଜ ପାଇଁ ଏକ ଉଦାହରଣ ସାଜିଛନ୍ତି। ସେ ହେଉଛନ୍ତି ପ୍ରତାପପୁର ପଞ୍ଚାୟତ ପାନ୍ତିଖାରୀ ଗ୍ରାମର ତ୍ରିନାଥ ପ୍ରଧାନ।
ସ୍ବର୍ଗତଃ ବାପା ସାତୁଡୁ ପ୍ରଧାନ ଓ ମାଆ ବାରିକି ପ୍ରଧାନଙ୍କ ଠାରୁ ମାତ୍ର ୧୦-୧୨ ବର୍ଷ ବୟସରୁ ପଟି ବୁଣା ଶିଖିଥିବା ତ୍ରିନାଥ ଆଜି ବି ଏହି କାମକୁ ଆଗେଇ ନେଉଛନ୍ତି। ପୂର୍ବପୁରୁଷଙ୍କ ଠାରୁ ଚାଲି ଆସିଥିବା ଏହି କଳାକୁ ସେ ଆଜି ପର୍ଯ୍ୟନ୍ତ ଭୁଲିନାହାନ୍ତି। ବାର୍ଦ୍ଧକ୍ୟ ଛୁଇଁଥିଲେ ମଧ୍ୟ ତାଙ୍କ ହାତର ଯାଦୁ କମିନାହିଁ। ବର୍ତ୍ତମାନ ସେ ପ୍ରାୟ ୩ ଦିନରେ ଗୋଟିଏ ସୁନ୍ଦର ଖଜୁରୀ ପଟି ତିଆରି କରୁଛନ୍ତି ଏବଂ ପ୍ରତି ୧୫ ଦିନରେ ଥରେ ଜଗନ୍ନାଥପ୍ରସାଦ ମେଡିକାଲ ସାମ୍ନାକୁ ଆସି ଏହାକୁ ବିକ୍ରି କରନ୍ତି।
ଆଶ୍ଚର୍ଯ୍ୟର କଥା ହେଉଛି, ତ୍ରିନାଥଙ୍କ ପରିବାର ଆର୍ଥିକ ଦୃଷ୍ଟିରୁ ବେଶ ସ୍ବଚ୍ଛଳ। ତାଙ୍କ ପରିବାର କହିଲେ ସ୍ବାମୀ-ସ୍ତ୍ରୀଙ୍କ ସହ ଦୁଇ ପୁଅ ଓ ଦୁଇ ଝିଅ। ଦୁଇ ପୁଅ ବୃତ୍ତିରେ ଶିକ୍ଷକ ଥିବାବେଳେ ନାତିମାନେ ସରକାରୀ ଉଚ୍ଚ ପଦାଧିକାରୀ ଭାବେ କାର୍ଯ୍ୟରତ। ଆଜିର ଦିନରେ ଅନେକ ଲୋକ ସ୍ବଚ୍ଛଳ ହେବା ପରେ କଷ୍ଟକର କାମରୁ ଦୂରେଇ ରହୁଥିବା ବେଳେ ତ୍ରିନାଥଙ୍କ ଚିନ୍ତାଧାରା ସମ୍ପୂର୍ଣ୍ଣ ଭିନ୍ନ।
ଏ ସମ୍ପର୍କରେ ବୃଦ୍ଧ ତ୍ରିନାଥ ପ୍ରଧାନ କୁହନ୍ତି, ‘ମୁଁ କୌଣସି ଗରିବୀ କିମ୍ବା ଆର୍ଥିକ ଅଭାବ ପାଇଁ ଏହି କାମ କରୁନାହିଁ। ପଟି ବୁଣିବା ମୋର ଏକ ପ୍ରକାର ନିଶା। ମୋ କାମ ଏବଂ ମୋ ଚାରିପାଖର ପରିବେଶ ମୋତେ ବହୁତ ଆନନ୍ଦ ଦିଏ। ଜୀବନର ଅପରାହ୍ନରେ ପହଞ୍ଚି ମଧ୍ୟ କର୍ମକୁ ହିଁ ଭଗବାନ ମାନି ଆନନ୍ଦ ପାଉଥିବା ଏହି ବୃଦ୍ଧଙ୍କ କର୍ମନିଷ୍ଠା ଆଜିର ଯୁବପିଢ଼ି ପାଇଁ ନିଶ୍ଚିତ ଭାବେ ପ୍ରେରଣାଦାୟୀ।

