ଧାର ଟଙ୍କା ଫେରସ୍ତ ମାଗିବାରୁ ଆକ୍ରମଣର ଶିକାର ହେଲେ ମହିଳା

ଘସିପୁରା,୨୬।୧୦(ନିରଞ୍ଜନ ସାହୁ): କେନ୍ଦୁଝର ଜିଲା ଘସିପୁରା ଥାନା ବଡ଼ଏକତାଳି ଗ୍ରାମରେ ଜଣେ ମହିଳା ଧାର ଟଙ୍କା ଫେରସ୍ତ ମାଗିବାରୁ ଆକ୍ରମଣର ଶିକାର ହୋଇଛନ୍ତି। ଗୁରୁତର ହୋଇଥିବା ମହିଳା ଜଣକ ହେଲେ କମଳା ବୋଇତେଇ। ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। କମଳା ଋଣ ପ୍ରଦାନକାରୀ ସଂସ୍ଥାରୁ ଟଙ୍କା ଆଣି ଗ୍ରାମର ନନ୍ଦିନୀଙ୍କୁ ପ୍ରଥମେ ୫୦ ହଜାର ଓ ପରେ ୨୦ ହଜାର ଟଙ୍କା ଧାର ସୂତ୍ରରେ ଦେଇଥିଲେ। କିସ୍ତି ସମୟ ହେବାରୁ ଟଙ୍କା ମାଗିଥିଲେ। ଟଙ୍କା ଫେରସ୍ତ ବଦଳରେ ନନ୍ଦିନୀ ଝଗଡ଼ା କରିଥିବା କମଳା ଅଭିଯୋଗ କରିଛନ୍ତି।

ଗୁରୁବାର ଋଣ ପ୍ରଦାନକାରୀ ସଂସ୍ଥାର କର୍ମଚାରୀ କିସ୍ତି ଆଦାୟ ପାଇଁ ଗାଁକୁ ଆସିଥିବା ବେଳେ ସେହିବାଟ ଦେଇ ଯାଉଥିବା ନନ୍ଦିନୀଙ୍କ ସ୍ବାମୀ ପ୍ରଫୁଲ୍ଲଙ୍କୁ ଟଙ୍କା ଫେରସ୍ତ କଥା କହିଥିଲେ। ଏଥିରେ ପ୍ରଫୁଲ୍ଲ ରାଗି ଯାଇ କମଳାଙ୍କ ମୁଣ୍ଡକୁ ପଥରରେ ଛେଚି ଦେଇଥିଲେ। ପରିବାର ଲୋକେ କମଳାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏନେଇ ଘସିପୁରା ଥାନାରେ କମଳା ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୋଗକୁ ଭିତ୍ତି କରି ଏକ ମାମଲା( ନଂ. ୩୫୪/୨୩) ରୁଜୁ କରିଝଛି। ଏପରିକି ନନ୍ଦିନୀ ବାରିକଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା( ନଂ. ୩୫୫/୨୩) ରୁଜୁ କରିଥିବା ଥାନା ଅଧିକାରୀ ସୁଶାନ୍ତ କୁମାର ପରିଡ଼ା ପ୍ରକାଶ କରିଛନ୍ତି।