ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ସିଦ୍ଧ କୁମାର ଓରଫ ସିଦ୍ଧ ଆରାଧ୍ୟା ଓରଫ ଲକି(୩୦)। ତାଙ୍କ ଘର ପାରଳାଖେମୁଣ୍ଡି ବସନ୍ତ ବିହାର ଅଞ୍ଚଳରେ। ସେ ହାଇଦ୍ରାବାଦ ୟୁସଫଗୁଡ଼ା ହାଇଲାମ କଲୋନୀରେ ରହୁଥିଲେ। ଏନେଇ ମୁକୁଦା-ଆମା ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ସାମିନ ବେଗମ ଗତ ଜୁନ ୧୧ରେ ପାରଳାଖେମୁଣ୍ଡି ଥାନାରେ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତିକରି ପୋଲିସ ନଂ. ୨/୨୬ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା।

ଅଭିଯୋଗ ଅନୁଯାୟୀ, ସ୍ବୟଂ ସହାୟକ ଗୋଷ୍ଠୀର କ୍ଷେତ୍ର ସଂଯୋଜକ ଏସ. ସ୍ବାତୀ କେତେ ଜଣ ବ୍ୟକ୍ତିଙ୍କ ସହ ମିଶି ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀଠାରୁ ସଞ୍ଚୟ, ଋଣ କିସ୍ତି ଓ ଅନ୍ୟାନ୍ୟ ଜମା ଟଙ୍କା ସଂଗ୍ରହ କରୁଥିଲେ। ପ୍ରାୟ ୮୦ ଲକ୍ଷ ଟଙ୍କା ଏବଂ ୧୧୦ ଗ୍ରାମ ସୁନା ସେ ସଂଗ୍ରହ କରିଥିବା ଜଣାପଡିଛି। ଅଧିକ ଋଣ, ସଦସ୍ୟଙ୍କ ପିଲାଙ୍କୁ ଚାକିରି ଓ ଅନ୍ୟାନ୍ୟ ସୁବିଧା ଦେବା ପ୍ରତିଶ୍ରୁତିରେ ଏସବୁ ସେ ସଂଗ୍ରହ କରିଥିବା ଅଭିଯୋଗକାରୀ କହିଛନ୍ତି।

ତେବେ ସଦସ୍ୟଙ୍କ ଟଙ୍କା ଓ ସୁନା ଫେରସ୍ତ ନ କରି ଗତ ଜାନୁଆରୀ ୭ରେ ଏସ. ସ୍ବାତୀ ଫେରାର ହୋଇଯାଇଥିଲେ। ପୋଲିସ ତଦନ୍ତ ସମୟରେ ଏଥିରେ ସିଦ୍ଧ କୁମାରଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଥିଲା। ସେ ହାଇଦ୍ରାବାଦରେ ଥିବା ଜାଣି ହାଇଦ୍ରାବାଦ ଯାଇ ପୋଲିସର ଏକ ଟିମ୍‌ ତାଙ୍କୁ ୨୯ ତାରିଖ ରାତି ୨ଟାରେ ସେଠାରୁ ତାଙ୍କୁ ଗିରଫ କରିଥିଲା। ହାଇଦ୍ରାବାଦ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯିବା ପରେ ଟ୍ରାଞ୍ଜିଟ ରିମାଣ୍ଡରେ ତାଙ୍କୁ ପାରଳାଖେମୁଣ୍ଡି ଅଣାଯାଇଥିଲା। ରବିବାର ଅଭିଯୁକ୍ତଙ୍କୁ ପାରଳାଖେମୁଣ୍ଡି ଏସ୍‌ଡିିଜେଏମ୍‌ କୋର୍ଟରେ ହାଜର କରାଯାଇଛି। ମୁଖ୍ୟ ଅଭିଯୁକ୍ତ ଏସ. ସ୍ବାତୀଙ୍କ ସମ୍ପର୍କରେ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ପ୍ରଶାନ୍ତ ଭୂପତି କହିଛନ୍ତି।

Share