ମେଣ୍ଟକୁ ନେଇ ମତ ଦୋହରାଇଲେ ଭାଜପା ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ

ଭୁବନେଶ୍ୱର,୧୦।୩: ଭାଜପା ଏବଂ ବିଜେଡି ମେଣ୍ଟ ଚର୍ଚ୍ଚା ଭିତରେ ରାଜ୍ୟ ଭାଜପା ନେତୃତ୍ୱକୁ ପୁଣି ଦିଲ୍ଲୀରୁ ଡାକରା ଆସିଛି। ଡାକରା ପାଇ ରାଜ୍ୟ ଭାଜପା ନେତୃତ୍ୱ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି। ସେଠାରେ ମେଣ୍ଟ ନେଇ ଆଲୋଚନା ହେବ ନା କେବଳ ପ୍ରାର୍ଥୀଙ୍କ ନାଁ ଉପରେ ମୋହର ବାଜିବ, ସେକଥା ସ୍ପଷ୍ଟ ହୋଇନି। କିନ୍ତୁ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ଡାକରା ପାଇ ରାଜ୍ୟ ଭାଜପା ନେତା ଦିଲ୍ଲୀ ଯାଇଥିବା ବିଜୟପାଲ ସିଂହ ତୋମାର ସୂଚନା ଦେଇଛନ୍ତି। ଏହାସହ ସେ ନିଜ ପୂର୍ବ ମତ ଦୋହରାଇ କହିଛନ୍ତି, ଓଡ଼ିଶାର ସମସ୍ତ ବିଧାନସଭା ଓ ଲୋକ ସଭା ଆସନ ପାଇଁ ଆମେ ପ୍ରସ୍ତୁତି କରୁଛୁ। ମେଣ୍ଟ ପାଇଁ କୌଣସି ଆଲୋଚନା ହୋଇନି।
ଭାଜପା ରାଜ୍ୟ ଭାଜପା ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର,ସହ ପ୍ରଭାରୀ ଲତା ଉସେଣ୍ଡି, ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ଭାଜପା ସଂଗଠନ ସମ୍ପାଦକ ମାନସ ମହାନ୍ତି ପ୍ରମୁଖ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି।
ଏହାପୂର୍ବରୁ ମଧ୍ୟ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ଭାଜପା ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର ମଧ୍ୟ ରାଜ୍ୟରେ ମେଣ୍ଟ ସମ୍ଭାବନାକୁ ଖାରଜ କରିଥିଲେ। ମେଣ୍ଟ ପ୍ରସଙ୍ଗରେ ଚର୍ଚ୍ଚା ପାଇଁ କାର୍ତ୍ତିକ ପାଣ୍ଡିଆନ ଓ ପ୍ରଣବପ୍ରକାଶ ଦାସ ଦିଲ୍ଲୀ ଯାଇ ଫେରିଥିଲେ ମଧ୍ୟ ବିଜେଡି ଏହି ସମ୍ଭାବ୍ୟ ମେଣ୍ଟକୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରୁନାହିଁ। ଫଳରେ ମେଣ୍ଟକୁ ନେଇ ସସପେନ୍ସ ଲାଗିରହିଛି।