ଅଭିଯୋଗ କଲେ ବିଚାର କରାଯିବ: ବାଚସ୍ପତି

ଭୁବନେଶ୍ୱର,୧୧।୪: ଅରବିନ୍ଦ ଢାଲି ଓ ପ୍ରେମାନନ୍ଦ ନାୟକଙ୍କ ବିଧାୟକ ପଦ ରଦ୍ଧ ନେଇ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ। ସେ କହିଛନ୍ତି ଯେ ଦଳ ବଦଳ କାରଣରୁ ୨ ବିଧାୟକଙ୍କ ସଭ୍ୟ ପଦ ରଦ୍ଧ ହୋଇଛି । ବିଜେଡି ମୁଖ୍ୟ ସଚେତକ ଦଳ ବଦଳ ନେଇ ଅଭିଯୋଗ କରିଥିଲେ । ଦଳ ବଦଳ କରିଥିବାରୁ ଉଭୟଙ୍କ ବିରୋଧରେ ବିଜେଡି ମୁଖ୍ୟ ସଚେତକ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଏନେଇ ଯଦି ଅନ୍ୟ ଦଳର ମୁଖ୍ୟ ସଚେତକ ଅଭିଯୋଗ କରନ୍ତି ତେବେ ଏହାର ବିଚାର କରାଯିବ ବୋଲି ବାଚସ୍ପତି କହିଛନ୍ତି ।

ସୂଚନାଯୋଗ୍ୟ, ଅରବିନ୍ଦ ଓ ପ୍ରେମାନନ୍ଦ ବିଜେଡି ଟିକେଟରୁ ୨୦୧୯ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ହେଲେ ଗତ କିଛି ଦିନ ତଳେ ଉଭୟ ବିଜେଡି ଛାଡି ଅନ୍ୟଦଳରେ ଯୋଗଦେଇଥିଲେ। ନିଜ ଆଡୁ ବିଜେଡି ଛାଡିବାରୁ ସେମାନଙ୍କ ସଭ୍ୟ ପଦ ରଦ୍ଦ ପାଇଁ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ମାର୍ଚ୍ଚ ୧୮ରେ ପିଟିସନ ଦାଖଲ କରିଥିଲେ। ପିଟିସନ ଆଧାରରେ ମାର୍ଚ୍ଚ ୧୯ରେ ଦୁଇ ବିଧାୟକଙ୍କ ନିକଟରୁ ସ୍ପଷ୍ଟୀକରଣ ମଗାଯାଇଥିଲା। କିନ୍ତୁ ପିଟିସନର କେହି ବି ଉତ୍ତର ଦେଇ ନ ଥିଲେ। ଏପରିକି ବ୍ୟକ୍ତିଗତ ଭାବେ ହାଜର ହୋଇ ନିଜ ପକ୍ଷ ରଖି ନ ଥିଲେ। ଏଣୁ ସରକାରୀ ମୁଖ୍ୟ ସଚେତକଙ୍କ ପିଟିସନ ଆଧାରରେ ଦୁଇ ବିଧାୟକ ନିଜ ଆଡୁ ବିଜେଡି ଛାଡିଥିବା ସ୍ପଷ୍ଟ ହୋଇଛି । ଯେଉଁଥିପାଇଁ ଦୁଇ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କରିଛନ୍ତି ବାଚସ୍ପତି। ଏନେଇ ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।