ପୁଣି ଥରେଇବ ଶୀତ

ଭୁବନେଶ୍ୱର,୨।୨(ବ୍ୟୁରୋ): ରାଜ୍ୟରେ ଶୀତର ପ୍ରକୋପ ଦେଖାଦେଇଛି। ଗତ ଦୁଇଦିନ ହେବ ପାରଦ ତଳମୁହାଁ ହୋଇଛି। ଆସନ୍ତା ୫ ତାରିଖ ଯାଏ ରାଜ୍ୟର କେତେକ ଭାଗରେ ଶୀତ ଥରେଇବ। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମଙ୍ଗଳବାର ଝାରସୁଗୁଡା, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ, ସୁନ୍ଦରଗଡ, ବଲାଙ୍ଗୀର ଏବଂ ଖୋର୍ଦ୍ଧା ଜିଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ଶୀତ ଲହରି ପ୍ରବାହିତ ହେବ। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ଏଥିସହିତ ଏହି ସମୟରେ ସୋନପୁର, ବୌଦ୍ଧ, କଳାହାଣ୍ଡି, ନୂଆପଡା, ନୟାଗଡ, ଖୋର୍ଦ୍ଧା, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, କଟକ, କେନ୍ଦ୍ରାପଡା, ଜଗତ୍‌ସିଂହପୁର, ସମ୍ବଲପୁର, ଅନୁଗୋଳ ଏବଂ ବରଗଡ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଶୀତ ଲହରି ପ୍ରବାହିତ ହେବ। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ଫେବୃୟାରୀ ୨ ତାରିଖରେ ଝାରସୁଗୁଡା, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ, ସୁନ୍ଦରଗଡ, ବଲାଙ୍ଗୀର ଏବଂ କନ୍ଧମାଳ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ହାଡଭଙ୍ଗା ଶୀତ ହେବ। ଏ ନେଇ ପାଣିପାଗ ବିଭାଗ ଅରେଞ୍ଜ ଓ୍ବାର୍ନିଂ ଜାରି କରିଛି। ସେହିପରି ସୋନପୁର, ବୌଦ୍ଧ, ନୂଆପଡା, କଳାହାଣ୍ଡି, ନୟାଗଡ, ଖୋର୍ଦ୍ଧା, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, କଟକ, କେନ୍ଦ୍ରାପଡା, ଜଗତ୍‌ସିଂହପୁର, ସମ୍ବଲପୁର, ଅନୁଗୋଳ ଏବଂ ବୌଦ୍ଧ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ଶୀତ ଲହରୀ ପ୍ରବାହିତ ହେବ ବୋଲି ପାଣିପାଗ ବିଭାଗ ସତର୍କ କରିଛି। ସେହିପରି ଫେବୃୟାରୀ ୩ ତାରିଖରେ ଝାରସୁଗୁଡା, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ, ଦେବଗଡ, କନ୍ଧମାଳ, ବାଲେଶ୍ୱର, ଭଦ୍ରକ, ଅନୁଗୋଳ, ବୌଦ୍ଧ ଜିଲାର କେତେକ ସ୍ଥାନରେ ଶୀତ ଲହରି ପ୍ରବାହିତ ହେବ। ୪ ତାରିଖରେ ଝାରସୁଗୁଡା, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ ଏବଂ ଦେବଗଡ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ଶୀତ ଲହରି ପ୍ରବାହିତ ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋଓ୍ବାର୍ନିଂ ଜାରି କରାଯାଇଛି। ସୋମବାର ରାଜ୍ୟର ୯ଟି ସହର ପାରଦ ୧୦ ଡିଗ୍ରୀ ସେଲ୍‌ସିୟସ ତଳକୁ ଖସିଯାଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡା ୭.୫, ବାରିପଦା ୯.୬, କେନ୍ଦୁଝର ୮.୪, ସୁନ୍ଦରଗଡ ୯, ବଲାଙ୍ଗୀର ୭.୮, ସୋନପୁର ୮.୬, ଦାରିଙ୍ଗବାଡି ୯, ବୌଦ୍ଧରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ସେଲ୍‌ସିୟସ ତଳକୁ ଖସି ଯାଇଛି।
ପ୍ରବଳ ଥଣ୍ଡା ସମ୍ଭାବନା ଥିବାରୁ ସ୍ବତନ୍ତ୍ର ରିଲିଫ୍‌ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲାପାଳମାନଙ୍କୁ ସତର୍କ କରାଯାଇଛି। ବାସହୀନ ଲୋକମାନଙ୍କୁ ସ୍କୁଲ, କଲେଜ, ଗୋଷ୍ଠୀ କେନ୍ଦ୍ର ଆଦିରେ ରହିବା ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି।