୩୦ରୁ ଶୀତ କମିବ

ଭୁବନେଶ୍ୱର,୨୬ା୧୨(ବ୍ୟୁରୋ)-ରାଜ୍ୟରେ ଶୀତର ପ୍ରକୋପ ହ୍ରାସ ପାଇବାରେ ଲାଗିଛି। ଗତ ଦୁଇ ତିନି ଦିନ ହେବ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ସେଲ୍‌ସିୟସ ଉପରେ ରହୁଛି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଶୀତ ଏଭଳି ସ୍ବାଭାବିକ ଅବସ୍ଥାରେ ରହିବ। ଡିସେମ୍ବର ୩୦ରୁ ଶୀତ କମିବ। ବଙ୍ଗୋପସାଗରରୁ ସ୍ଥଳଭାଗକୁ ବାୟୁ ପ୍ରବାହ ହେବ। ଫଳରେ ସର୍ବନିମ୍ନ ତାପମାତ୍ରା ୪ରୁ ୫ ଡିଗ୍ରୀ ଉପରକୁ ଉଠିଯିବ। ଆସନ୍ତା ଜାନୁୟାରୀ ୩ ତାରିଖ ଯାଏ ଶୀତ କମିବା ସହିତ କେତେକ ସ୍ଥାନରେ କୁହୁଡ଼ି ହେବାର ସମ୍ଭାବନା ରହିଛି।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ନୟାଗଡ଼, ମୟୂରଭଞ୍ଜ, ବୌଦ୍ଧ, ମାଲକାନଗିରି, କୋରାପୁଟ, ବଲାଙ୍ଗୀର, କଟକ ଏବଂ ସୁନ୍ଦରଗଡ଼ ଜିଲାର କେତେକ ସ୍ଥାନରେ କୁହୁଡ଼ି ହେବାର ସମ୍ଭାବନା ରହିଛି। ଶନିବାର ରାଜ୍ୟର ୧୦ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ସେଲ୍‌ସିୟସ ତଳେ ରହିଛି। ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫.୫ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ଦାରିଙ୍ଗବାଡି ୬, କୋରାପୁଟ ୮.୨, ଭବାନୀପାଟଣା ୯, ସୁନ୍ଦରଗଡ ୮.୫, କେନ୍ଦୁଝର ୯.୮, ଝାରସୁଗୁଡା ୮.୫, ବାରିପଦା ୧୦, ବଲାଙ୍ଗୀର ୧୦.୬, ବୌଦ୍ଧ ୧୦, ସୋନପୁର ୧୧, ଟିଟିଲାଗଡରେ ସର୍ବନିମ୍ନ ତାପମାତ୍ରା ୧୧.୫, କଟକ ୧୨ , ଭୁବନେଶ୍ୱର ୧୩.୮ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି।