ଖସିବାରେ ଲାଗିଛି ପାରଦ, ଥରୁଛି ଓଡ଼ିଶା

ଭୁବନେଶ୍ୱର, ୨୬।୧୧(ବ୍ୟୁରୋ): ରାଜ୍ୟରେ ଧିରେ ଧିରେ ବଢ଼ିଲାଣି ଶୀତ। ତଳକୁ ଖସିବାରେ ଲାଗିଛି ପାରଦ। ଶନିବାର ୧୯ଟି ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୦.୫ ଡିଗ୍ରୀ ରହିଥିଲା। ସେହିପରି ବାଲେଶ୍ୱର ୧୪.୭, ଚାନ୍ଦବାଲି ୧୪.୯, ଭୁବନେଶ୍ୱର ୧୪.୫, ଅନୁଗୋଳ ୧୨.୬, ବାରିପଦା ୧୪, ଝାରସୁଗୁଡ଼ା ୧୧.୨, କେନ୍ଦୁଝରଗଡ଼ ୧୧.୪, ସମ୍ବଲପୁର ୧୪.୩, ସୁନ୍ଦରଗଡ଼ ୧୨, ହୀରାକୁଦ ୧୨.୮, ଭବାନିପାଟଣା ୧୪.୨, ବଲାଙ୍ଗୀର ୧୩.୬, କୋରାପୁଟ ୧୨.୫, ସୋନପୁର ୧୩, ବରଗଡ଼ ୧୩.୪, ଦେବଗଡ଼ ୧୧.୭ ଓ କେନ୍ଦ୍ରାପଡ଼ାରେ ୧୪ ଡିଗ୍ରୀ ରହିଥିଲା। ଏହାଛଡ଼ା କଟକ, ଭଦ୍ରକ, ନବରଙ୍ଗପୁର, ଟିଟିଲାଗଡ଼ରେ ୧୫ ଡିଗ୍ରୀ ତାପମାତ୍ରା ରହିଥିବା ପାଣିପାଗ କେନ୍ଦ୍ରର ରିପୋର୍ଟରୁ ଜଣାପଡ଼ିଛି। ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରାରେ ସେଭଳି କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।