ଭୁବନେଶ୍ୱର,୧୮ା୧୧(ସୁନିତ୍ ମିଶ୍ର): ସପ୍ତଦଶ ବିଧାନସଭାର ଅଷ୍ଟମ ଅଧିବେଶନ ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି। ଅଧିବେଶନ ଆରମ୍ଭରୁ ଦିବଂଗତ ନେତାମାନଙ୍କ ଉଦ୍ଦେଶ୍ୟରେ ଗୃହରେ ଶୋକ ପ୍ରସ୍ତାବ ଆଗତ ହେବ। ପ୍ରଥମ ଦିନ ଚଳିତ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ଅତିରିକ୍ତ ବଜେଟ ରାଜ୍ୟ ସରକାରଙ୍କ ପକ୍ଷରୁ ଆଗତ କରାଯିବ। ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ଏହି ଅଧିବେଶନ ବହୁ ଗୁରୁତ୍ୱପୂର୍ଣ୍ଣ। କାରଣ ସରକାର ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି କେତେଗୁଡ଼ିଏ ଯୋଜନାର ବଜେଟ ବଢ଼ାଇ ପାରନ୍ତି। ରାଜ୍ୟ ସରକାର ପ୍ରାୟତଃ ୨୦ ହଜାର କୋଟି ଟଙ୍କାର ବଜେଟ ଆଣିପାରନ୍ତି ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ଏହି ଅଧିବେଶନ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଚଳିତ ଥର ମୋଟ୍ ୩୩ଟି ସରକାରୀ କାର୍ଯ୍ୟଦିବସ ରହିଛି। ଅନ୍ୟପଟେ ବିରୋଧୀ ନିକଟରେ ଘଟିଥିବା ବାତ୍ୟା ‘ଅର୍ଣ୍ଣବ’ ଯୋଗୁ ରାଜ୍ୟରେ ହୋଇଥିବା କ୍ଷୟକ୍ଷତି ପାଇଁ ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତି। ତେଣୁ ଏଥିଲାଗି ମଧ୍ୟ ସରକାର କିଛି ସ୍ବତନ୍ତ୍ର ନିଷ୍ପତ୍ତି ଚଳିତ ଅଧିବେଶନ ସମୟରେ ନେଇପାରନ୍ତି।
ଚଳିତ ଶୀତକାଳୀନ ଅଧିବେଶନରେ ଗୃହ କାର୍ଯ୍ୟ କିପରି ଶାନ୍ତି ଶୃଙ୍ଖଳାର ସହିତ ଚାଲିବ ତାହାକୁ ନେଇ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବାଚସ୍ପତି ଉଭୟ ଶାସକ ଓ ବିରୋଧୀ ସଦସ୍ୟଙ୍କ ସହଯୋଗ ଲୋଡ଼ିଛନ୍ତି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିରୋଧୀ ଦଳ ଉପମୁଖ୍ୟ ସଚେତକ ପ୍ରତାପ ଦେବ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ପ୍ରମୁଖ ଉପସ୍ଥିତ ଥିଲେ। ସର୍ବଦଳୀୟ ବୈଠକ ଶେଷ ହେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁକେଶ ମହାଲିଙ୍ଗ କହିଛନ୍ତି, ବିଧାନସଭାକୁ ସୁରୁଖୁରୁରେ ଚଳାଇବା ଲାଗି ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଛି। ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଯେଉଁ ବିଷୟଗୁଡିକ ଆସିବ ତାହାକୁ ସରକାରଙ୍କ ତରଫରୁ ଆଲୋଚନା କରାଯିବ। ଏହା ସହିତ ସରକାରଙ୍କ ପକ୍ଷରୁ ଓଡ଼ିଶାର ସ୍ବାର୍ଥ ସମ୍ବଳିତ ବିଷୟବସ୍ତୁ ଯାହା ଆସିବ ତାହା ଉପରେ ମଧ୍ୟ ଆଲୋଚନା କରାଯିବ। ୫ଟି ବିଲ୍ ଗୃହରେ ଆଗତ ହେବ। ବିରୋଧୀ ଯେଉଁ ମୋସନ୍ ଆଣିବେ ବାଚସ୍ପତି ଅନୁମତି ଦେଲେ ସେନେଇ ଆଲୋଚନା କରିବା ପାଇଁ ଶାସକ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି ମହାଲିଙ୍ଗ କହିଛନ୍ତି।
ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ବିଧାନସଭାର ଯାହା ଧାରା ରହିଛି ସେନେଇ ବାଚସ୍ପତି ବୈଠକରେ ଉପସ୍ଥାପିତ କଲେ। ବିରୋଧୀ ଦଳ ଭାବେ ଯାହା କୁହାଯିବା କଥା କୁହାଯାଇଛି। ବାତ୍ୟା ‘ଅର୍ଣ୍ଣବ’ ଯୋଗୁ ଗଞ୍ଜାମ, ଗଜପତି ଅଞ୍ଚଳରେ ସୃଷ୍ଟି ହୋଇଥିବା ବନ୍ୟା ନେଇ ଆଲୋଚନା କରିବାକୁ ମୋସନ୍ ଅଣାଯାଇଛି। ଏନେଇ ଆଲୋଚନା କରିବା ପାଇଁ ବାଚସ୍ପତିଙ୍କୁ ପ୍ରସ୍ତାବ ଦିଆଯାଇଛି। ସମସ୍ତ କାର୍ଯ୍ୟକ୍ରମ ଗୋଟିଏ ଦିନ ପାଇଁ ବାତିଲ କରି ମୋସନ୍ ଉପରେ ଆଲୋଚନା କରିବାକୁ ଅନୁରୋଧ କରାଯାଇଛି। ସରକାରଙ୍କ ବିରୋଧରେ ବହୁ ପ୍ରସଙ୍ଗ ରହିଛି। ଯେପରି ବନ୍ୟା ଓ ବାତ୍ୟା ପରିଚାଳନାରେ ସରକାର ବିଫଳ, ପଶ୍ଚିମ ଓଡ଼ିଶାରେ ଏଯାଏ ସରକାର ଧାନ ସଂଗ୍ରହ କଲେ ନାହିଁ, ହିତାଧିକାରୀଙ୍କୁ ଭତ୍ତା ନ ମିଳିବା କାରଣରୁ ବୃଦ୍ଧା, ବୃଦ୍ଧମାନେ ଆତ୍ମହତ୍ୟା କଲେଣି, ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ ବ୍ୟବସ୍ଥାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଏସବୁ କଥା ବିଜେଡି ପକ୍ଷରୁ ଗୃହରେ ଉଠାଯିବ ବୋଲି ପ୍ରମିଳା କହିଛନ୍ତି।
କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି, ସରକାର ବିଭିନ୍ନ ପ୍ରତିଶ୍ରୁତି ଦେଇ ଶାସନକୁ ଆସିଥିଲେ, ଯେଉଁଗୁଡ଼ିକ ପୂରଣ କରିବାରେ ବିଫଳ ହେଉଛନ୍ତି। କୋଟିଆ ପ୍ରସଙ୍ଗକୁ ନେଇ ଶାସନକୁ ଆସିବା ପୂର୍ବରୁ ଭାଜପା ଯାହା ନିର୍ବାଚନୀ ଇସ୍ତାହାରରେ ଦେଇଥିଲା ତାହା ଏଯାଏ ସମାଧାନ କରିପାରି ନାହିଁ। ଭାଜପା ସରକାରକୁ ଆସିବାର ଅଢ଼େଇ ବର୍ଷ ପୂରଣ ହେଇସାରିବା ସତ୍ତ୍ୱେ ଆନ୍ଧ୍ର ବାରମ୍ବାର କୋଟିଆରେ ଅନୁପ୍ରବେଶ କରିବାରେ ଲାଗିଛି। କୋଟିଆ, ଆଇନ ଶୃଙ୍ଖଳା ପରିସ୍ଥିତି, ଦରଦାମ୍ ବୃଦ୍ଧି, ଗଞ୍ଜାମର ବନ୍ୟା ପରିସ୍ଥିତି ଆଦି ବିଷୟ ଗୃହରେ ଉଠାଯିବ। ଓଡ଼ିଶାର ସୀମା ଉପରେ ରାଜ୍ୟ ସରକାର ଦଖଲ ରଖିପାରି ନାହାନ୍ତି ଓ ଅନ୍ୟ ରାଜ୍ୟ ଯେଉଁଭଳି ଭାବେ ପଶୁଛନ୍ତି ସେକଥା ଜୋରଦାର ଭାବେ ଗୃହରେ ଉପସ୍ଥାପିତ କରାଯିବ ଏବଂ ଏହା ଉପରେ ସ୍ବତନ୍ତ୍ର ଆଲୋଚନା କରିବା ପାଇଁ ଦଳ ପକ୍ଷରୁ ଦାବି ରଖାଯିବ ବୋଲି କାଡାମ କହିଛନ୍ତି।