ଶୀତ ଗାଏବ: ୧୨ ଜିଲାରେ କୁହୁଡ଼ି ସମ୍ଭାବନା

ଭୁବନେଶ୍ୱର,୧୮ା୧୧(ବ୍ୟୁରୋ): ରାଜ୍ୟରେ ଶୀତ ଗାଏବ ହୋଇଯାଇଛି। ଆସନ୍ତା ୨୫ ତାରିଖ ଯାଏ ଶୀତର ଦେଖା ମିଳିବ ନାହିଁ। ଓଡ଼ିଶା ଉପକୂଳରେ ଏକ ଗୁରୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟ ଭିତରକୁ ଅଧିକ ମାତ୍ରାରେ ଜଳୀୟ ବାଷ୍ପ ପ୍ରବେଶ କରୁଛି। ଫଳରେ ଆକାଶ ମେଘାଚ୍ଛନ୍ନ ରହୁଛି। ବର୍ଷା ପାଇଁ ପାଗ ଅନୁକୂଳ ହେଉ ନାହିଁ। ଏଥିଯୋଗୁ ଉପକୂଳବର୍ତ୍ତୀ ଜିଲାଗୁଡିକରେ କୁହୁଡି ସୃଷ୍ଟି ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ୨ ଦିନ ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ସୁନ୍ଦରଗଡ଼, ଖୋର୍ଦ୍ଧା, ଢେଙ୍କାନାଳ, ଅନୁଗୋଳ, କନ୍ଧମାଳ ଓ ମୟୂରଭଞ୍ଜ ଜିଲାରେ ପ୍ରବଳ କୁହୁଡି ହେବାର ସମ୍ଭାବନା ରହିଛି। ରାଜ୍ୟର ଅନ୍ୟାନ୍ୟ ଭାଗରେ ହାଲୁକା କୁହୁଡି ହେବ। ରାତ୍ରିର ତାପମାତ୍ରାରେ ସେପରି ଉଲ୍ଲେଖନୀୟ ହ୍ରାସ ହେବ ନାହିଁ ବୋଲି ଅନୁମାନ କରାଯାଇଛି। ଗୁରୁଚାପ ଯୋଗୁ କିଛିଦିନ ହେବ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୫ରୁ ୬ ଡିଗ୍ରୀ ସେଲ୍‌ସିୟସ ବୃଦ୍ଧି ପାଇଛି। ମିଳିଥିବା ସୂଚନା ଅନୁଯାୟୀ ବୁଧବାର କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି।