Categories: Home Leftଖେଳ

ଟିମ ଇଣ୍ଡିଆରେ ବୈଭବଙ୍କୁ ସ୍ଥାନ ଦେବାକୁ ହେଲେ କାହାର କଟିବ ଟିକେଟ! ଏହି ୨ କ୍ରିକେଟର ନାଁ ନେଇ ସାଂଘାତିକ ବୟାନ ଦେଲେ…

ନୂଆଦିଲ୍ଲୀ,୨୫।୯: ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଭାରତୀୟ ଦଳର ପ୍ଲେଇଂ ଇଲେଭେନରୁ ବାହାରେ ରଖିବା ସହଜ ହେବ ନାହିଁ ବୋଲି ମତ ଦେଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର୍‌ ମହମ୍ମଦ କୈଫ। ଏସିଆନ ଗେମ୍ସ ପାଇଁ ଭାରତୀୟ ଦଳର କମ୍ବିନେସନକୁ ନେଇ ଆଲୋଚନା କରିବା ସମୟରେ କୈଫ ନିଜ ୟୁଟ୍ୟୁବ ଚ୍ୟାନେଲରେ ସୂର୍ଯ୍ୟବଂଶୀଙ୍କୁ ନେଇ ଏହି ମତ ରଖିଛନ୍ତି।

କୈଫଙ୍କ ମତରେ, ସୂର୍ଯ୍ୟବଂଶୀ ଯେଉଁଭଳି ପ୍ରତିଭା ଓ ପ୍ରଦର୍ଶନ ଦେଖାଇଛନ୍ତି, ତାହାକୁ ଦୃଷ୍ଟିରେ ରଖି ତାଙ୍କୁ ଦୀର୍ଘ ସମୟ ବେଞ୍ଚରେ ବସାଇ ରଖିବା ଟିମ ମ୍ୟାନେଜମେଣ୍ଟ ପାଇଁ କଷ୍ଟକର ହେବ। ତାଙ୍କ ମତରେ, ପ୍ରଶ୍ନଟି ଏହା ହେବା ଉଚିତ ନୁହେଁ ଯେ ସୂର୍ଯ୍ୟବଂଶୀଙ୍କ ପାଇଁ ପ୍ଲେଇଂ ଇଲେଭେନରେ ସ୍ଥାନ ଅଛି କି ନାହିଁ; ବରଂ ତାଙ୍କୁ ଦଳରେ କିଭଳି ଫିଟ କରାଯାଇପାରିବ, ସେନେଇ ଟିମ ମ୍ୟାନେଜମେଣ୍ଟକୁ ଚିନ୍ତା କରିବା ଦରକାର।

କୈଫଙ୍କ ମତରେ, ଆଗାମୀ କିଛି ମାସ ମଧ୍ୟରେ ଏଭଳି ଏକ କମ୍ବିନେସନ ଦେଖିବାକୁ ମିଳିପାରେ, ଯେଉଁଥିରେ ଭୈଭବ ସୂର୍ଯ୍ୟବଂଶୀ, ସଞ୍ଜୁ ସାମସନ ଏବଂ ଅଭିଷେକ ଶର୍ମା ତିନିଜଣ ଏକାଠି ଭାରତୀୟ ପ୍ଲେଇଂ ଇଲେଭେନରେ ସ୍ଥାନ ପାଇପାରନ୍ତି।

ସୂର୍ଯ୍ୟବଂଶୀଙ୍କୁ ଦଳରେ ସାମିଲ କରିବା ଭାରତୀୟ ଟିମର ବ୍ୟାଟିଂକୁ ଆହୁରି ଶକ୍ତିଶାଳୀ କରିପାରେ ବୋଲି କୈଫ ମତ ଦେଇଛନ୍ତି।
ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନରେ ସ୍ଥାନ ଦେବାକୁ ହେଲେ ତିଲକ ବର୍ମା କିମ୍ବା ଶିବମ ଦୁବେଙ୍କ ମଧ୍ୟରୁ ଜଣଙ୍କୁ ବାହାରେ ବସାଇବା ନେଇ ବିଚାର କରାଯାଇପାରେ ବୋଲି କୈଫ କହିଛନ୍ତି।

ତିଲକ ବର୍ମା ଭାରତୀୟ ଦଳର ଉପ-ଅଧିନାୟକ ହୋଇଥିଲେ ମଧ୍ୟ କମ୍ବିନେସନର ଆବଶ୍ୟକତା ଅନୁସାରେ ତାଙ୍କୁ ବାହାରେ ରଖାଯାଇପାରେ ବୋଲି କୈଫଙ୍କ ମତ। ତାଙ୍କ କହିବା ଅନୁସାରେ, ଉପ-ଅଧିନାୟକ ହେବା ମାତ୍ରରୁ ପ୍ଲେଇଂ ଇଲେଭେନରେ ସ୍ଥାନ ନିଶ୍ଚିତ ହୋଇଯାଏ ନାହିଁ।

ଅନ୍ୟପକ୍ଷରେ, ଶିବମ ଦୁବେଙ୍କୁ ନେଇ କୈଫ କହିଛନ୍ତି ଯେ ବର୍ତ୍ତମାନ ତାଙ୍କୁ ମୁଖ୍ୟତଃ ବ୍ୟାଟର୍‌ ଭାବେ ବ୍ୟବହାର କରାଯାଉଛି। ତାଙ୍କଠାରୁ ଅଧିକ ବୋଲିଂ କରାଯାଉନାହିଁ ଏବଂ ଫିଲ୍ଡିଂ ମଧ୍ୟ ତାଙ୍କର ମୁଖ୍ୟ ଶକ୍ତି ନୁହେଁ। ତେଣୁ ଦଳରେ ସୂର୍ଯ୍ୟବଂଶୀଙ୍କୁ ସ୍ଥାନ ଦେବା ସମୟରେ ଦୁବେଙ୍କ ବିକଳ୍ପ ଉପରେ ମଧ୍ୟ ଟିମ ମ୍ୟାନେଜମେଣ୍ଟ ବିଚାର କରିପାରେ ବୋଲି କୈଫ ମତ ଦେଇଛନ୍ତି।

 

Dharitri – Odisha’s No.1 Odia Daily

Share