Categories: Home Leftଖେଳ

ଶ୍ରେୟସଙ୍କ ହାତରୁ ଖସିବ ପଞ୍ଜାବ ଅଧିନାୟକ ପଦ? ହାର୍ଦ୍ଦିକ ହେବେ ନୂଆ କ୍ୟାପ୍‌ଟେନ୍‌! ଜାଣନ୍ତୁ କ’ଣ ହେଲା ଫାଇନାଲ

ନୂଆଦିଲ୍ଲୀ, ୧୧।୧୧: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପଞ୍ଜାବ କିଙ୍ଗ୍ସରେ ଏଣ୍ଟ୍ରି ହୋଇସାରିଛି। ଅର୍ଶଦୀପ ସିଂହଙ୍କ ସହ ଟ୍ରେଡ ପରେ ହାର୍ଦ୍ଦିକ ମୁମ୍ବାଇ ଇଣ୍ଡିଆନ୍ସର ସାଥ୍‌ ଛାଡ଼ି ପଞ୍ଜାବର ହାତ ଧରିଛନ୍ତି। ଦଳରେ ଯୋଗଦେବା ମାତ୍ରେ ଏକ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ବର୍ତ୍ତମାନର ଅଧିନାୟକ ଶ୍ରେୟସ ଆୟରଙ୍କୁ ହଟାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର ନେତୃତ୍ୱ ଦିଆଯିବ କି?

ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ପଞ୍ଜାବ ଭଲ ପ୍ରଦର୍ଶନ କରିଛି। ହେଲେ ଦଳ ଏଯାଏ ଟାଇଟଲ ଜିତିପାରିନାହିଁ। ଅନ୍ୟପକ୍ଷରେ ହାର୍ଦ୍ଦିକଙ୍କ ପାଖରେ ଅଧିନାୟକ ଭାବେ ଆଇପିଏଲ ଟାଇଟଲ ଜିତିବାର ଅଭିଜ୍ଞତା ରହିଛି।

୨୦୨୨ରେ ଗୁଜରାଟ ଟାଇଟନ୍ସର ଅଧିନାୟକ ଭାବେ ହାର୍ଦ୍ଦିକ ଦଳକୁ ଚାମ୍ପିଅନ କରାଇଥିଲେ। ତେବେ ଶ୍ରେୟସ ଆୟରଙ୍କ ପାଖରେ ମଧ୍ୟ ଟାଇଟଲ ଜିତିବାର ଅଭିଜ୍ଞତା ରହିଛି। ୨୦୨୪ରେ ସେ କୋଲକାତା ନାଇଟ ରାଇଡର୍ସକୁ ଚାମ୍ପିଅନ କରାଇଥିଲେ। ତେବେ ହାର୍ଦ୍ଦିକ ପଞ୍ଜାବର ଅଧିନାୟକ ହେବାର ସମ୍ଭାବନା କେତେ, ଆସନ୍ତୁ ଜାଣିବା।

୨୦୨୨ରେ ଗୁଜରାଟ ଟାଇଟନ୍ସ ସହ ଯୋଡ଼ି ହେବା ପରେ ହାର୍ଦ୍ଦିକଙ୍କୁ ଦଳର ଅଧିନାୟକ ଦାୟିତ୍ୱ ମିଳିଥିଲା। ୨୦୨୨ ଓ ୨୦୨୩ଉଭୟ ସିଜିନରେ ସେ ଗୁଜରାଟର ନେତୃତ୍ୱ ନେଇଥିଲେ। ୨୦୨୪ରେ ସେ ପୁଣି ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିଥିଲେ। ସେଠାରେ ମଧ୍ୟ ତାଙ୍କୁ ଅଧିନାୟକ ଭାବେ ଦଳରେ ସାମିଲ କରାଯାଇଥିଲା। ମୁମ୍ବାଇରେ ସେ ଅଭିଜ୍ଞ ଅଧିନାୟକ ରୋହିତ ଶର୍ମାଙ୍କ ସ୍ଥାନ ନେଇଥିଲେ। ରୋହିତ କେବଳ ମୁମ୍ବାଇ ଇଣ୍ଡିଆନ୍ସ ନୁହେଁ, ଆଇପିଏଲ ଇତିହାସର ମଧ୍ୟ ଅନ୍ୟତମ ସଫଳ ଅଧିନାୟକ। ୨୦୨୨ରୁ ହାର୍ଦ୍ଦିକ ଆଇପିଏଲ୍ରେ ଅଧିନାୟକ ଭାବେ ଖେଳିଆସୁଛନ୍ତି।

୨୦୨୪ରେ ହାର୍ଦ୍ଦିକ ଯେତେବେଳେ ମୁମ୍ବାଇ ଇଣ୍ଡିଆନ୍ସରେ ସାମିଲ ହୋଇଥିଲେ, ସେତେବେଳେ ସିଧାସଳଖ ଅଧିନାୟକ ଭାବେ ଦାୟିତ୍ୱ ନେଇଥିଲେ। ହାର୍ଦ୍ଦିକଙ୍କୁ ଦଳରେ ସାମିଲ କରିବା ନେଇ ମୁମ୍ବାଇ ପକ୍ଷରୁ ହୋଇଥିବା ଘୋଷଣାରେ ସ୍ପଷ୍ଟ କରାଯାଇଥିଲା ଯେ, ଆଗାମୀ ସିଜିନରେ ସେ ରୋହିତ ଶର୍ମାଙ୍କ ସ୍ଥାନରେ ଅଧିନାୟକ ହେବେ। କିନ୍ତୁ ପଞ୍ଜାବ କିଙ୍ଗ୍ସ ପକ୍ଷରୁ ଏଯାଏ ଏଭଳି କୌଣସି ସୂଚନା ଦିଆଯାଇନାହିଁ। ତେଣୁ ହାର୍ଦ୍ଦିକଙ୍କୁ ଅଧିନାୟକ ଦାୟିତ୍ୱ ମିଳିବ କି ନାହିଁ, ତାହା ଏବେ ଅସ୍ପଷ୍ଟ ରହିଛି।

ହାର୍ଦ୍ଦିକ ଏଯାଏ ନିଜ ଆଇପିଏଲ କ୍ୟାରିୟରରେ ୧୬୨ଟି ମ୍ୟାଚ ଖେଳିଛନ୍ତି। ଏହି ମ୍ୟାଚଗୁଡ଼ିକର ୧୫୦ଟି ଇନିଂସରେ ବ୍ୟାଟିଂ କରି ସେ ୨୭.୮୭ ହାରରେ ଏବଂ ୧୪୬.୨୮ ଷ୍ଟ୍ରାଇକ ରେଟ୍‌ରେ ମୋଟ ୨,୯୫୫ ରନ କରିଛନ୍ତି। ଏଥିରେ ୧୦ଟି ଅର୍ଦ୍ଧଶତକ ସାମିଲ ରହିଛି। ଆଇପିଏଲରେ ତାଙ୍କର ସର୍ବାଧିକ ସ୍କୋର ହେଉଛି ୯୧ ରନ। ସେହିପରି ୧୧୬ଟି ଇନିଂସରେ ବୋଲିଂ କରି ହାର୍ଦ୍ଦିକ ମୋଟ ୮୨ଟି ଉଇକେଟ୍‌ ହାସଲ କରିଛନ୍ତି।

Dharitri – Odisha’s No.1 Odia Daily

Share