Categories: ଖେଳ

ଖେଳିବେ ୟୁସୁଫ୍‌, ଜୟସୁରିୟା

ରାୟପୁର,୨୭ା୨: ମାର୍ଚ୍ଚ ୫ରୁ ରାୟପୁରରେ ଖେଳାଯିବାକୁ ଥିବା ରୋଡ୍‌ ସେଫ୍ଟି ଓ୍ବାଲର୍‌ଡ ସିରିଜ ପାଇଁ ଭାରତ ଲିଜେଣ୍ଡ୍ସ ଦଳରେ ପୂର୍ବତନ କ୍ରିକେଟର ୟୁସୁଫ୍‌ ପଠାନ, ନମନ ଓଝା ଓ ବିନୟ କୁମାର ସ୍ଥାନ ପାଇଛନ୍ତି। ଏହି ୩ଜଣ ନିକଟରେ ସେମାନଙ୍କ ଅବସର ଘୋଷଣା କରିଛନ୍ତି। ପୂର୍ବତନ ବିସ୍ଫୋରକ ଓପନର ସନଥ ଜୟସୁରିୟା ଶ୍ରୀଲଙ୍କା ଲିଜେଣ୍ଡ୍ସ ଦଳ ପକ୍ଷରୁ ଖେଳିବେ। ୧୯୯୬ରେ ଶ୍ରୀଲଙ୍କାର ଦିନିକିଆ ବିଶ୍ୱକପ୍‌ ସଫଳତାରେ ତାଙ୍କର ବିଶେଷ ଭୂମିକା ରହିଥିଲା। ତିଳକରନେତ୍ ଦିଲ୍‌ସାନ ନେତୃତ୍ୱଧୀନ ଶ୍ରୀଲଙ୍କା ଲିଜେଣ୍ଡ୍ସ ଦଳରେ ଜୟସୁରିୟାଙ୍କ ବ୍ୟତୀତ ରସେଲ ଆର୍ନୋଲ୍ଡ ଏବଂ ଉପୁଲ ଥରଙ୍ଗାଙ୍କ ଭଳି ଖେଳାଳିଙ୍କୁ ସାମିଲ କରାଯାଇଛି। ଭାରତ ଲିଜେଣ୍ଡ୍ସ ଏହାର ପ୍ରଥମ ମ୍ୟାଚ ମାର୍ଚ୍ଚ ୫ରେ ବାଂଲାଦେଶ ଲିଜେଣ୍ଡ୍ସ ବିପକ୍ଷରେ ଖେଳିବ। ଅନ୍ୟପକ୍ଷରେ ଶ୍ରୀଲଙ୍କା ଲିଜେଣ୍ଡ୍ସ ମାର୍ଚ୍ଚ ୬ରେ ଓ୍ବେଷ୍ଟଇଣ୍ଡିଜ ଲିଜେଣ୍ଡ୍ସ ବିପକ୍ଷରେ ଏହାର ଅଭିଯାନ ଆରମ୍ଭ କରିବ। ସମସ୍ତ ମ୍ୟାଚ ଶହିଦ ବୀର ନାରାୟଣ ସିଂ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ସିରିଜର ପ୍ରଥମ ସଂସ୍କରଣ ୨୦୨୦ରେ ଖେଳାଯାଇଥିଲା। କରୋନା ମହାମାରୀ ଦେଖା ଦେବାରୁ ୪ଟି ଗେମ୍‌ ଖେଳାଯିବା ପରେ ମାର୍ଚ୍ଚ ୧୧ରେ ଏହାକୁ ବାତିଲ କରିଦିଆଯାଇଥିଲା।

Share