ଆଜିଠୁ ବିଧାନସଭା ସମ୍ମୁଖରେ ସତ୍ୟାଗ୍ରହ କରିବ ଭାଜପା

ଭୁବନେଶ୍ବର,୧୮ା୧୧(ବ୍ୟୁରୋ): ମୁଣ୍ଡ ଉପରେ ପଦ୍ମପୁର ଉପନିର୍ବାଚନ। ଏହି ନିର୍ବାଚନମଣ୍ଡଳୀରେ ଚାଷୀଙ୍କ ସଂଖ୍ୟା ଅଧିକ ଥିବାବେଳେ ଭୋଟିଂରେ ସେମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବେ ବୋଲି କୁହାଯାଉଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଏବେ ସବୁ ଦଳ ଚାଷୀଙ୍କ ସପକ୍ଷରେ ଥିବା ଦେଖେଇବାକୁ ଚେଷ୍ଟା କରୁଛନ୍ତି। ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ବୀମା ରାଶି ନ ମିଳିବାକୁ ନେଇ ଚାଷୀମାନେ ପଦ୍ମପୁରରେ ଧାରଣା ଦେଇଥିବା ବେଳେ ଏଥିପାଇଁ ପରସ୍ପର ବିରୋଧରେ ବିଜେଡି ଓ ଭାଜପା ଦୋଷ ଲଦାଲଦି ହେଉଛନ୍ତି। ରାଜ୍ୟ ସରକାର ଚାଷୀ ବିରୋଧୀ ବୋଲି ଦର୍ଶାଇ ଶୁକ୍ରବାରଠାରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ବିଧାନସଭା ଆଗରେ ଭାଜପା ପକ୍ଷରୁ ଧାରଣା ଦିଆଯିବା ନେଇ ଭାଜପା ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ଗୁରୁବାର ଖବରଦାତା ସମ୍ମିଳନୀରେ କହିଛନ୍ତି। ଅପରପକ୍ଷେ ଭାଜପା ଅଭିଯୋଗ ଏବଂ ଧାରଣା ଦେବା କଥାକୁ ଟାର୍ଗେଟ କରି ବିଜେଡି ନେତା ତଥା ରାଜ୍ୟ ସଭା ସଦସ୍ୟ ସସ୍ମିତ୍‌ ପାତ୍ର କହିଛନ୍ତି, ଚାଷୀଙ୍କ ପାଇଁ ବିଧାନସଭା ଆଗରେ ଧାରଣା ଦେବାକୁ ସେମାନେ ଯେଉଁ ଘୋଷଣା କରିଛନ୍ତି ତାହା ହାସ୍ୟାସ୍ପଦ। ବିଧାନସଭା ସମ୍ମୁଖରେ ଧାରଣା ଦେବା ପରିବର୍ତ୍ତେ ସେମାନେ ପାର୍ଲାମେଣ୍ଟ ସାମ୍ନାରେ ଧାରଣା ଦେବା ଆବଶ୍ୟକ । ଓଡ଼ିଶାର କୃଷକମାନେ ଭାଜପାର ଚାଷୀ ବିରୋଧୀ ମନୋଭାବକୁ ଦେଖୁଛନ୍ତି। ଭାଜପା ଆଉ କୌଣସି ପ୍ରକାରେ ଓଡ଼ିଶାର ଚାଷୀଙ୍କୁ ବିଭ୍ରାନ୍ତ କରିପାରିବ ନାହିଁ ବୋଲି ସସ୍ମିତ୍‌ କହିଛନ୍ତି।