‘ତେଲ ନ କିଣିବାକୁ ଅନୁରୋଧ କରାଯିବ’

ଭୁବନେଶ୍ବର,୫।୭: ଦେଶରେ ବଢୁଥିବା ତେଲ ଦରକୁ ନେଇ ସୋମବାର ଏକ ଖବରଦାତା ସମ୍ମିଳନୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଭାଜପା ସରକାର କେତେ ଶୋଷିଲେ ମନ ସନ୍ତୁଷ୍ଟ ହେବ ବୋଲି ନିରଞ୍ଜନ ଅଭିଯୋଗ କରିଛନ୍ତି। ଜନସାଧାରଣ ଏହାର ଉପଯୁକ୍ତ ଜବାବ ଦେବେ ବୋଲି ସେ କହିଥିଲେ।

ଆସନ୍ତା ୭ରୁ ୧୭ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ କଂଗ୍ରେସ ଆନ୍ଦୋଳନ କରିବ । ୭ରେ ପ୍ରତ୍ୟେକ ବ୍ଲକ ଆଗରେ ପ୍ରତିବାଦ କରିବ । ୯ରେ ଜିଲାସ୍ତରରେ, ୧୪ରେ ଭୁବନେଶ୍ୱରରେ ଦର ବୃଦ୍ଧି ନେଇ ପ୍ରତିବାଦ କରାଯିବ। ୧୫ରେ ଲୋକଙ୍କୁ ତେଲ ନ କିଣିବାକୁ ଦଳ ଅନୁରୋଧ କରିବ। ୧୭ରେ ପ୍ରତି ପେଟ୍ରୋଲପମ୍ପ ଆଗରେ କଂଗ୍ରେସର ଦସ୍ତଖତ ଅଭିଯାନ ଆରମ୍ଭ କରାଯିବ ବୋଲି ପିସିସି ସଭାପତି ନିରଞ୍ଜନ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷେ କୋଭିଡ ଆକ୍ରାନ୍ତ ଓ ମୃତ୍ୟୁ ତଥ୍ୟ ନେଇ ରାଜ୍ୟ ସରକାରଙ୍କୁ ସେ ସମାଲୋଚନା କରିଥିଲେ। ୧ ମାସ ଧରି କଂଗ୍ରେସ କର୍ମୀ ଘରକୁ ଘର ବୁଲି କୋଭିଡ ଆକ୍ରାନ୍ତ ଏବଂ ମୃତ୍ୟୁ ତଥ୍ୟ ସଂଗ୍ରହ କରିବେ। ଏହାକୁ ଏଆଇସିସି ନିକଟରେ ଦାଖଲ କରାଯିବ ବୋଲି ନିରଞ୍ଜନ କହିଛନ୍ତି।