‘ଦ୍ୱିତୀୟ ଇନିଂସ୍‌ରେ ଦେଖାହେବ’

ଭୁବନେଶ୍ୱର,୨।୮(ବ୍ୟୁରୋ):ଅଭିନେତା ବାବୁସାନ୍‌ ମହାନ୍ତି, ସ୍ତ୍ରୀ ତୃପ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ମଧ୍ୟରେ ଉପୁଜିଥିବା ବିବାଦରେ କେବେ ପୂର୍ଣ୍ଣଚ୍ଛେଦ ପଡ଼ିବ ତାହାକୁ ନେଇ ପ୍ରଶଂସକମାନେ ଚାହିଁ ରହିଛନ୍ତି। ଏପରି ସ୍ଥିତିରେ ବାବୁସାନ୍‌ଙ୍କ ସହ ସମ୍ପର୍କକୁ ନେଇ ବିବାଦ ଘେରକୁ ଆସିଥିବା ଅଭିନେତ୍ରୀ ପ୍ରକୃତି ମିଶ୍ର ସୋମବାର ମୁମ୍ବାଇ ଚାଲିଯାଇଛନ୍ତି। ମା’ କୃଷ୍ଣପ୍ରିୟାଙ୍କ ସହ ସେ ମୁମ୍ବାଇ ଯାଇଥିବା ବାପା ମନ୍ମଥ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତେବେ ଓଡ଼ିଶା ଛାଡ଼ିବା ପୂର୍ବରୁ ପ୍ରକୃତି ନିଜ ଇନ୍‌ଷ୍ଟାଗ୍ରାମ ଷ୍ଟୋରିରେ ହିନ୍ଦୀ ଇଂଲିଶ ମିଶା ଏକ ଲେଖା ଛାଡ଼ିଛନ୍ତି, ଯାହାକୁ ନେଇ ଆଉଏକ ଚର୍ଚ୍ଚା ଆରମ୍ଭ ହୋଇଛି। ସେ ଲେଖିଛନ୍ତି ଯେ, ଠିକ୍‌ ଆଉ ଭୁଲ୍‌ ପରେ ଗୋଟିଏ ମଇଦାନ ଅଛି, ସେଠି ତୁମମାନଙ୍କ ମଧ୍ୟରୁ ବହୁତ କମ୍‌ ଲୋକଙ୍କୁ ମୁଁ ଭେଟିବି। ଜୀବନର ଦ୍ୱିତୀୟ ଇନିଂସ୍‌ରେ ଦେଖାହେବ। ଦୟା ମନୋଭାବ ଓ ଖୁସିର ସହ ସବୁ ପରିସ୍ଥିତିର ସାମ୍ନା କରନ୍ତୁ। ଯାହା ବି ଘଟୁ ନିଜର ସୁସ୍ଥ ଚିନ୍ତା ଜାରି ରଖନ୍ତୁ। ସବୁ ପରିସ୍ଥିତିରେ ଶାନ୍ତି ହିଁ ଚୟନ କରନ୍ତୁ। ତୁମ ଉଦ୍ଦେଶ୍ୟ ଠିକ୍‌ ଅଛି ବୋଲି ଯେତେବେଳେ ଜାଣିଛ, ସେତେବେଳେ କାହାରିକୁ କିଛି କହିବାର ଆବଶ୍ୟକତା ନାହିଁ। ମୁଁ ଜାଣିଛି ମୁଁ ଠିକ୍‌ ସମୟରେ ନ୍ୟାୟ ପାଇବି। ଏଥିସହ ସେ ଆହୁରି ଅନେକ କିଛି ଲେଖିଛନ୍ତି।
ଏପଟେ ବାପା ମନ୍ମଥ କହିଛନ୍ତି, କର୍ମକ୍ଷେତ୍ରରେ ଯୋଗ ଦେବାକୁ ପ୍ରକୃତି ମୁମ୍ବାଇ ଗଲା। ପ୍ରକୃତି ନିଜ ସ୍ବପ୍ନ କ୍ଷେତ୍ରକୁ ଫେରିଥିବାରୁ ମୁଁ ବହୁତ ଖୁସି। ଏ ବିବାଦ ହେବାର ନ ଥିଲା। ଘର ଭିତରେ ସମାଧାନ ହେବାର ଥିଲା। ପୂର୍ବରୁ ବାବୁସାନ୍‌ଙ୍କ ପରିବାର ମୋ ଘରକୁ ଆସିଥିଲେ। ମୁଁ ପ୍ରତିଶ୍ରୁତି ଦେଇଥିଲି। ପ୍ରକୃତିକୁ ସଚେତନ କରାଇଥିଲି। ବାବୁସାନ୍‌ଙ୍କ ସହ କଥା ମଧ୍ୟ ହୋଇଥିଲି। ରାସ୍ତାରେ ଏଭଳି ଘଟିବାର ନ ଥିଲା। ଘଟଣା ପୂର୍ବରୁ ଆଉଥରେ ମୋତେ କଲ୍‌ କରିଥିଲେ ହୁଏତ ସମାଧାନ ହୋଇଯାଇଥାନ୍ତା। ତୃପ୍ତିଙ୍କ ପ୍ରତି ମୋର ସମବେଦନା ରହିଛି ବୋଲି ମନ୍ମଥ କହିଛନ୍ତି।