ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ ୮ ପର୍ଯ୍ୟନ୍ତ ସାରା ଦେଶରେ ପାଳନ ହେଉଥିବା ବନ୍ୟପ୍ରାଣୀ ସପ୍ତାହର ପ୍ରସଙ୍ଗ ରଖାଯାଇଛି ”ଆବାସସ୍ଥଳୀ ସଂଯୋଗୀକରଣ -ବନ୍ୟପ୍ରାଣୀଙ୍କର ବିକାଶ ଓ ଅଭିବୃଦ୍ଧି।“
ଖାଦ୍ୟ ଶୃଙ୍ଖଳରେ ସର୍ବୋଚ୍ଚ ଶିଖର ସ୍ଥାନରେ ଥିବା ଶିକାରଜୀବୀ ପ୍ରାଣୀ ହେଲା ବାଘ। ନିକଟ ଅତୀତରେ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟରୁ ଗୋଟିଏ ବାଘ ଅନେକ ଗଁା ଗଣ୍ଡା ପାରହୋଇ ନନ୍ଦନକାନନରେ ପହଞ୍ଚତ୍ ଯାଇଥିଲା। ଶିମିଳିପାଳରେ ମହାରାଷ୍ଟ୍ରର ତଡୋବା-ଅନ୍ଧେରି ବ୍ୟାଘ୍ର ଅଭୟାରଣ୍ୟରୁ ଆଣି ଛଡ଼ାଯାଇଥିବା ବାଘୁଣୀ ଜୀନତ ଝାଡ଼ଖଣ୍ଡ ପାର ହୋଇ ପଶ୍ଚିମବଙ୍ଗରେ ପହଞ୍ଚତ୍ ଯାଇଥିଲା। ଦେଶରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷଙ୍କ ଦ୍ବାରା ୩୨ଟି ବ୍ୟାଘ୍ର ଚଲାପଥ ଚିହ୍ନଟ କରାଯାଇଛି। ତନ୍ମଧ୍ୟରେ ଓଡ଼ିଶାରେ ଏକମାତ୍ର ବ୍ୟାଘ୍ର ଚଲାପଥ ଶିମିଳିପାଳ ଓ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ସଂଯୁକ୍ତ କରିଛି।
ଗୋଟିଏ ଆବାସସ୍ଥଳୀର ଜଙ୍ଗଲ ପତଳା ହୋଇଗଲେ ବା ହାତୀକୁ ତା’ର ଆହାର ଉପଯୁକ୍ତ ଖାଦ୍ୟ ନ ମିଳିଲେ ଏବଂ ଖରାଦିନେ ଜଙ୍ଗଲରେ ନଈନାଳ ଶୁଖିଗଲେ ସେମାନେ ଖାଦ୍ୟ ଓ ପାନୀୟ ପାଇଁ ୦ ଅନ୍ୟ ଜଙ୍ଗଲର ସନ୍ଧାନ କରନ୍ତି। ଜନବସତି ଭିତରେ ନ ପଶି ଗୋଟିଏ ଜଙ୍ଗଲରୁ ଅନ୍ୟ ଜଙ୍ଗଲକୁ ଯିବାକୁ ହେଲେ ହାତୀ ଚଲାପଥର ଆବଶ୍ୟକତା ରହିଛି। ବିଭିନ୍ନ ମନୁଷ୍ୟକୃତ କାରଣରୁ ହାତୀ ତଥା ଅନ୍ୟ ବନ୍ୟପ୍ରାଣୀଙ୍କର ପ୍ରାକୃତିକ ଆବାସସ୍ଥଳୀ ଜଙ୍ଗଲ ସଙ୍କୁଚିତ ହୋଇ ଚାଲିଛି। ଏହା ବ୍ୟତୀତ ଆଖପାଖ ଜଙ୍ଗଲକୁ ସଂଯୁକ୍ତ କରୁଥିବା ପ୍ରାକୃତିକ ଚଲାପଥ ମଧ୍ୟ ଖଣ୍ଡବିଖଣ୍ଡିତ ହେବାରେ ଲାଗିଛି। ଫଳରେ ଗୋଟିଏ ଜଙ୍ଗଲର ହାତୀପଲ ଅନ୍ୟ ଜଙ୍ଗଲର ହାତୀଙ୍କ ସହ ମିଶି ପାରୁନାହାନ୍ତି, ପୃଥକ୍ ହୋଇ ରହି ଯାଉଛନ୍ତି। ଏହାଦ୍ୱାରା ଦଳ ଭିତରେ ଅନ୍ତଃ ଅଭିଜନନ ବଢ଼ିଚାଲିଛି ଓ ଜିନୀୟ ବିବିଧତା ହ୍ରାସ ପାଉଛି। ହାତୀବଂଶର ସ୍ଥାୟିତ୍ୱ ଓ ଅଭିବୃଦ୍ଧି ପ୍ରତି ଏହା ଶୁଭଙ୍କର ନୁହେଁ।
୨୦୦୧ରେ ସାରାଦେଶରେ ହାତୀ ଚଲାପଥ ଚିହ୍ନଟ କରିବା ନିମନ୍ତେ ଭାରତ ସରକାର ‘ପ୍ରୋଜେକ୍ଟ ଏଲିଫ୍ୟାଣ୍ଟ’ ପ୍ରକଳ୍ପ ଆରମ୍ଭ କରିଥିଲେ। ପ୍ରାଥମିକ ଭାବେ ୧୬୬ଟି ଚଲାପଥ ଚିହ୍ନଟ କରାଗଲା। ତନ୍ମଧ୍ୟରୁ ୮୮ଟି ଚଲାପଥକୁ ହାତୀମାନେ ବାରମ୍ବାର ବ୍ୟବହାର କରିଥାଆନ୍ତି। ଓଡ଼ିଶା ମଧ୍ୟ ଭାରତ ଲ୍ୟାଣ୍ଡସ୍କେପ୍ରେ ରହିଛି। ଆମ ରାଜ୍ୟ ସହିତ ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ରହିଛି ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ଓଡ଼ିଶାକୁ ଲାଗିଥିବା ଦକ୍ଷିଣାଂଶ। ଏହି ଅଞ୍ଚଳରେ ହସ୍ତୀ ଆବାସସ୍ଥଳୀର ଆୟତନ ପ୍ରାୟ ୧୭ ହଜାର ବର୍ଗ କିଲୋମିଟର। ମଧ୍ୟ-ଭାରତ ଲ୍ୟାଣ୍ଡସ୍କେପ୍ରେ ପ୍ରାୟ ୨୫୦୦ରୁ ୨୮୦୦ ହାତୀ ଅଛନ୍ତି। ତାହାର ୭୦%ରୁ ଅଧିକ କେବଳ ଆମ ରାଜ୍ୟରେ ରହିଛନ୍ତି। ୨୦୨୪ ହସ୍ତୀଗଣନା ଅନୁଯାୟୀ ଆମ ରାଜ୍ୟର ହାତୀସଂଖ୍ୟା ୨୧୦୩। ୨୦୦୧ରେ ରାଜ୍ୟ ସରକାର ୭୦୪୩ ବର୍ଗ କିଲୋମିଟର ପରିମିତ ବନ ଅଞ୍ଚଳକୁ ମୟୂରଭଞ୍ଜ ହସ୍ତୀ ରିଜର୍ଭ ଭାବେ ଘୋଷଣା କରିଥିଲେ। ୨୦୦୨ରେ ସମ୍ବଲପୁର ହସ୍ତୀ ରିଜର୍ଭ ୪୨୭ ବର୍ଗ କିଲୋମିଟର ଓ ମହାନଦୀ ହସ୍ତୀ ରିଜର୍ଭ ୧୦୩୮ ବର୍ଗ କିଲୋମିଟର ବିକଶିତ କରିଥିଲେ। ଆଜିକୁ ୧୫ ବର୍ଷ ତଳେ ରାଜ୍ୟ ବନ ବିଭାଗ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ ଅଫ୍ ସାଇନ୍ସ, ବେଙ୍ଗାଲୁରୁର ପ୍ରଫେସର ସୁକୁମାରନ୍ଙ୍କ ସହଯୋଗରେ ୧୪ଟି ହାତୀ ଚଲାପଥ ଚିହ୍ନଟ କରିଥିଲେ। ଅନ୍ୟ ରାଜ୍ୟଗୁଡ଼ିକରେ ଥିବା ମୋଟ ଚଲାପଥ ମଧ୍ୟରେ ଏହା ଚତୁର୍ଥ ସର୍ବବୃହତ୍ତମ। ତନ୍ମଧ୍ୟରୁ ତିନୋଟି ମୁଖ୍ୟତଃ ଆନ୍ତଃ ରାଜ୍ୟ ଝାଡ଼ଖଣ୍ଡକୁ ସଂଯୁକ୍ତ କରୁଥିବା ଚଲାପଥ। ‘କାରୋ -କରମପଦା’ ସଂଯୋଗ ପଥଟି କେନ୍ଦୁଝର ବନଖଣ୍ଡର ‘କାରୋ’ ସଂରକ୍ଷିତ ଜଙ୍ଗଲକୁ ଝାଡ଼ଖଣ୍ଡ ରାଜ୍ୟର ସାରଣ୍ଡା ବନଖଣ୍ଡ ଅନ୍ତର୍ଗତ ‘କରମପଦା’ ଜଙ୍ଗଲକୁ ସଂଯୁକ୍ତ କରିଛି। ଏହି ସଂଯୋଗ ପଥଟି ଯୋଡ଼ା, ବଡ଼ବିଲ ଖଣି ଖାଦାନ ହେତୁ ବିଖଣ୍ଡିତ। ଦ୍ବିତୀୟଟି ମୟୂରଭଞ୍ଜ ଜିଲାର ଶିମିଳିପାଳ ସନ୍ନିକଟ ବାଦାମପାହାଡ଼ ସଂରକ୍ଷିତ ଜଙ୍ଗଲ ଓ ଝାଡ଼ଖଣ୍ଡ ରାଜ୍ୟର ଚାଇଁବସା ବନଖଣ୍ଡ ଅନ୍ତର୍ଗତ ‘ଧୋବା-ଧୋବିନ’ ଜଙ୍ଗଲକୁ ସଂଯୁକ୍ତ କରୁଥିବା ‘ବାଦାମପାହାଡ଼-ଧୋବା ଧୋବିନ’ ସଂଯୋଗ ପଥ ଗୋରୁମହିଷାଣୀ ଓ ସୁଲେଇପାଟ ଖଣି ଯୋଗୁ ବିଖଣ୍ଡିତ। ତୃତୀୟଟି ‘ବାଦାମପାହାଡ଼- କରିଡ଼ା ପୂର୍ବ’ ସଂଯୋଗ ପଥ ଶିମିଳିପାଳ ଜାତୀୟ ଉଦ୍ୟାନ ଏବଂ ଝାଡ଼ଖଣ୍ଡ ଜିଲ୍ଲାର ‘ଡାଲ-ଭୂମି’ ବନଖଣ୍ଡର କରିଡ଼ା ପୂର୍ବ ସଂରକ୍ଷିତ ଜଙ୍ଗଲକୁ ସଂଯୁକ୍ତ କରିଛି। ଜନବସତି ଗଢ଼ିଉଠିବା ଏବଂ କୃଷି ସମ୍ପ୍ରସାରଣ ଫଳରେ ଏହି ସଂଯୋଗ ପଥଟିରେ ଥିବା ଜଙ୍ଗଲ ବର୍ତ୍ତମାନ ଅବକ୍ଷୟିତ, ଅନ୍ୟ ଏକ ସଂଯୋଗ ପଥ ଦେଉଳି ଓ ଶୂଳିଆପଦା ଜଙ୍ଗଲରୁ ମୟୂରଭଞ୍ଜ ଏବଂ ବାଲେଶ୍ବର ଜିଲା ମଧ୍ୟ ଦେଇ ପଶ୍ଚିମବଙ୍ଗର ମେଦିନାପୁର ପର୍ଯ୍ୟନ୍ତ ଯାଇଛି; ଯେଉଁ ପଥ ଦେଇ ଏବେ ବି ପ୍ରତିବର୍ଷ ହାତୀମାନେ ଯାତାୟାତ କରୁଛନ୍ତି। ବଉଳା କ୍ରୋମାଇଟ୍ ଖଣି ଯୋଗୁ ଶିମିଳିପାଳ- ହଦଗଡ଼- କୁଲଡିହା ସଂଯୋଗପଥ, ରାଜ୍ୟ ରାଜପଥ ଓ ରେଳପଥ ପାଇଁ ସାତକୋଶିଆ, ଛେଣ୍ଡିପଦା ଓ ପାଲଲହଡ଼ା ମଧ୍ୟରେ ଢେଙ୍କାନାଳ ଜିଲାର ମଉଳାଭଞ୍ଜ, ଜିରିଡ଼ିମାଳଠାରୁ ଅନନ୍ତପୁର-କପିଳାସ ପର୍ଯ୍ୟନ୍ତ ସଂଯୋଗ ପଥ ବିଚ୍ଛିନ୍ନ ତଥା ଖଣ୍ଡ ବିଖଣ୍ଡିତ। ମୋଟ ୪୨୧ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ୧୪ଟି ହାତୀ ଚଲାପଥ ମଧ୍ୟରୁ ଅଧିକାଂଶ ଏବେ ଅବ୍ୟବହୃତ ଏବଂ ଅକାମୀ ହୋଇଗଲାଣି। ବିଡ଼ମ୍ବନାର ବିଷୟ, ୨୦୧୧ରୁ ଚିହ୍ନଟ ହୋଇଥିଲେ ମଧ୍ୟ ଅଦ୍ୟାବଧି ଏଗୁଡ଼ିକ ବିଜ୍ଞପିତ ହୋଇନାହିଁ। ତେଣୁ ଏଗୁଡ଼ିକର କୌଣସି ଆଇନଗତ ମାନ୍ୟତା ମଧ୍ୟ ନାହିଁ। ଏବେ ରାଜ୍ୟ ବନ ବିଭାଗ ଅନ୍ୟ କେତେକ ସ୍ବେଚ୍ଛାସେବୀ ସଂଗଠନ ସହାୟତାରେ ନୂଆ ହାତୀ ଚଲାପଥ ସର୍ବେକ୍ଷଣ କରୁଛନ୍ତି ଏବଂ ହାତୀ ବସବାସ କରୁଥିବା ରାଜ୍ୟ ସରକାରଙ୍କ ସହ ପରାମର୍ଶ କରି ନୂତନ ପ୍ରସ୍ତାବ ଦେବାର ଯୋଜନା କରିଛନ୍ତି।
‘କରିଡର’ ବା ହାତୀଚଲା ପଥ, ହାତୀବଂଶର ଦୀର୍ଘ ମିଆଦୀ ସଂରକ୍ଷଣ ତଥା ଅଭିବୃଦ୍ଧି ପାଇଁ ଏକାନ୍ତ ଜରୁରୀ। ଗୋଟିଏ ଜଙ୍ଗଲରୁ ଅନ୍ୟ ଜଙ୍ଗଲକୁ ଯାତାୟାତ ନିମନ୍ତେ ଏହା ହାତୀପଲଙ୍କୁ ଏକ ନିରାପଦ ରାସ୍ତା ଯୋଗାଇ ଦେଇଥାଏ। ତେଣୁ ହାତୀମାନେ ଜନବସତି ଭିତରକୁ ପଶିଆସନ୍ତି ନାହିଁ। ଫଳରେ ହାତୀ-ମଣିଷ ସଂଘର୍ଷର ସମ୍ଭାବନା ଯଥେଷ୍ଟ କମିଯାଏ। ଦେଶରେ ସର୍ବାଧିକ ହାତୀ କର୍ନାଟକ ଓ କେରଳରେ ଅଛନ୍ତି। କର୍ନାଟକରେ ଅଛନ୍ତି ୬,୨୦୦ରୁ ୬,୩୯୫ ମଧ୍ୟରେ ଏବଂ କେରଳରେ ୫,୯୦୦। କିନ୍ତୁ ଏହି ରାଜ୍ୟଗୁଡ଼ିକର ଜଙ୍ଗଲ ପଶ୍ଚିମଘାଟ ପର୍ବତମାଳାରେ ଅବସ୍ଥିତ ଥିବାରୁ କର୍ନାଟକ, ତାମିଲନାଡ଼ୁ ଓ କେରଳ ମଧ୍ୟରେ ଏକ ସୁବିସ୍ତୀର୍ଣ୍ଣ ନିରାପଦ ସଂଯୋଗପଥ ରହିଛି। ଦକ୍ଷିଣ ରାଜ୍ୟରେ ୬୫% ଚଲାପଥ ସଂରକ୍ଷିତ ଜଙ୍ଗଲରେ ଥିବାରୁ ବନାଞ୍ଚଳ ପରିପୂର୍ଣ୍ଣ। ଅନ୍ୟପକ୍ଷରେ ମଧ୍ୟ-ଭାରତରେ ୯୦% ଚଲାପଥ ବନ ବିଭାଗ, ରାଜସ୍ବ ବିଭାଗ ଏବଂ କୃଷି ବିଭାଗ ଅଧୀନରେ ରହିଛି। ଅଧିକାଂଶ ଅଞ୍ଚଳ ଜନବସତିପୂର୍ଣ୍ଣ ତଥା ଖଣି ଖାଦାନରେ ଭରପୂର।
୨୦୧୦ରେ ‘କରିଡର’ର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଭାରତ ସରକାର ହସ୍ତୀ ଟାସ୍କଫୋର୍ସ ଗଠନ କରିଥିଲେ। ସେମାନେ ସୁପାରିସ କରିଥିଲେ ଯେ, ହାତୀମାନେ ବିଚରଣ କରୁଥିବା ସମ୍ପୂର୍ଣ୍ଣ ଅଞ୍ଚଳକୁ ‘ପରିବେଶ ସମ୍ବେଦନଶୀଳ ଅଞ୍ଚଳ’ ଭାବେ ଘୋଷଣା କରାଯାଉ; ୧୯୮୬ର ପରିବେଶ ସୁରକ୍ଷା ଆଇନ ପ୍ରାବଧାନରେ। ଏହା ବ୍ୟତୀତ ୧୯୭୨ର ବନ୍ୟ ପ୍ରାଣୀ ସଂରକ୍ଷଣ ଆଇନ ଅନୁସାରେ ‘କରିଡର’ଗୁଡ଼ିକୁ ଗୋଷ୍ଠୀ ରିଜର୍ଭ ବା ସଂରକ୍ଷିତ ରିଜର୍ଭ ଭାବେ ଘୋଷଣା କରାଯାଉ। ଅନ୍ୟଥା, ଜଙ୍ଗଲ ଅଧିକାର ଆଇନ ୨୦୦୬ର ଧାରା ଅନୁସାରେ ଏଗୁଡ଼ିକୁ ଗୋଷ୍ଠୀ ଜଙ୍ଗଲ ଭାବେ ଘୋଷିତ କରି ଜଙ୍ଗଲରେ ପିଢ଼ି ପିଢ଼ି ଧରି ବସବାସ କରୁଥିବା ଅଧିବାସୀଙ୍କୁ ସଂରକ୍ଷଣ ଦାୟିତ୍ୱ ସମର୍ପି ଦିଆଯାଉ। ବାସ୍ତବିକ ଆଇନଗତ ସୁରକ୍ଷା ନ ମିଳିଲେ ଏବଂ ନୀତିଗତ ବାଧ୍ୟବାଧକତା ନ ରହିଲେ ସଂଯୋଗ ପଥଗୁଡ଼ିକ ବନ୍ୟପ୍ରାଣୀଙ୍କର ସୁରକ୍ଷା ଓ ଅଭିବୃଦ୍ଧିରେ ସହାୟକ ହୋଇ ପାରିବ ନାହିଁ।
ପୂର୍ବତନ ପ୍ରଧାନ ମୁଖ୍ୟ
ବନ୍ୟପ୍ରାଣୀ ସଂରକ୍ଷକ
ମୋ: ୯୪୩୭୦୦୦୯୦୪